Categories: ବାଣିଜ୍ୟ

ଜିଏସ୍‌ଟି ସଂଗ୍ରହ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ

ନୂଆଦିଲ୍ଲୀ,୨-୧୦: ସେପ୍ଟେମ୍ବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ପରିମାଣ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ ଘଟିଛି। ଜିଏସ୍‌ଟି ସଂଗ୍ରହ ୧୯ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଏହା ଅଗଷ୍ଟ ମାସରେ ୯୮,୨୦୨ କୋଟି ଟଙ୍କା ରହିଥିବା ସରକାର ମଙ୍ଗଳବାର ଦେଇଥିବା ତଥ୍ୟରୁ ଜଣାପଡିଛି। ଗତ ବର୍ଷ ସେପ୍ଟେମ୍ବରରେ ଜିଏସ୍‌ଟି ସଂଗ୍ରହ ୯୪,୪୪୨ କୋଟି ଟଙ୍କା ରହିଥିଲା। ସଂଗ୍ରହ ହୋଇଥିବା ମୋଟ ୯୧,୯୧୬ କୋଟି ଟଙ୍କା ଜିଏସ୍‌ଟି ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି ଅଂଶ ୧୬,୬୩୦ କୋଟି, ରାଜ୍ୟ ଜିଏସ୍‌ଟି ବାବଦ ୨୨,୫୯୮ କୋଟି, ସମନ୍ବିତ ଜିଏସ୍‌ଟି ବାବଦ ୪୫,୦୬୯ କୋଟି ଏବଂ ସେସ୍‌ ବା ଉପକର ବାବଦକୁ ୭୬୨୦ କୋଟି ଟଙ୍କା ରହିଥିବା ଅର୍ଥମନ୍ତ୍ରଣାଳୟ ପ୍ରକାଶ କରିଛି। ସେପ୍ଟେମ୍ବର ୩୦ ସୁଦ୍ଧା ଅଗଷ୍ଟ ମାସ ଲାଗି ୭୫.୯୪ ଲକ୍ଷ ଜିଏସ୍‌ଟିଆର୍‌-୩ବି ରିଟର୍ନ ଫାଇଲ କରାଯାଇଛି। ଗତ ବର୍ଷ ସମାନ ମାସ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବରରେ ରାଜସ୍ବ ସଂଗ୍ରହ ୨.୬୭% କମିଛି।
ସମନ୍ବିତ ଜିଏସ୍‌ଟି ମଧ୍ୟରୁ କେନ୍ଦ୍ର ଏବଂ ରାଜ୍ୟ ଜିଏସ୍‌ଟି ବାବଦକୁ ଯଥାକ୍ରମେ ୨୧,୧୩୧ କୋଟି ଏବଂ ୧୫,୧୨୧ କୋଟି ଟଙ୍କା ସମାଧାନ କରାଯାଇଛି। ସେପ୍ଟେମ୍ବର ମାସ ଲାଗି ନିୟମିତ ଜିଏସ୍‌ଟି ସମାଧାନ ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଯଥାକ୍ରମେ କେନ୍ଦ୍ର ଜିଏସ୍‌ଟି ବାବଦକୁ ୩୭,୭୬୧ କୋଟି ଏବଂ ରାଜ୍ୟ ଜିଏସ୍‌ଟି ବାବଦକୁ ୩୭,୭୧୯ କୋଟି ଟଙ୍କାର ରାଜସ୍ବ ହାସଲ କରିଛନ୍ତି। ଚଳିତ ବର୍ଷ ଏପ୍ରିଲ-ସେପ୍ଟେମ୍ବର ସମୟ ମଧ୍ୟରେ ଦେଶ ମଧ୍ୟରୁ ପରୋକ୍ଷ ଟିକସ ସଂଗ୍ରହ ୭.୮୨% ବଢିଛି। ଆମଦାନୀରୁ ଜିଏସ୍‌ଟି ସଂଗ୍ରହ ନକାରାତ୍ମକ ରହି ୪.୯୦%କୁ ଖସି ଆସିଥିବା ଅର୍ଥ ମନ୍ତ୍ରଣାଳୟ ପ୍ରକାଶ କରିଛି।

Share