Categories: ବାଣିଜ୍ୟ

ଜିଏସ୍‌ପି ଉପରେ ଭାରତ ନିର୍ଭଳଶୀଳ ନୁହେଁ:ଗୋୟଲ

ନୂଆଦିଲ୍ଲୀ,୮-୬: ଆମେରିକାର ଜେନେରାଲାଇଜଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେଜ(ଜିଏସ୍‌ପି) ପ୍ରତି ଭାରତ ବ୍ୟାକୁଳ କି ନିର୍ଭରଶୀଳ ନୁହେଁ। ଏହା ନିଜର ରପ୍ତାନିକୁ ପ୍ରତିଯୋଗିତାମୂଳକ କରିବାକୁ ସକ୍ଷମ ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଭାରତ ଏଭଳି ଏକ ବ୍ୟବସ୍ଥା ଉପରେ ଜୋର୍‌ ଦେବ ଯାହା ଦେଶର ରପ୍ତାନିକୁ ପ୍ରତିଯୋଗିତାମୂଳକ କରିବ ବୋଲି ଗୋୟଲ କହିଛନ୍ତି। ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ ସ୍ବତନ୍ତ୍ର ବାଣିଜ୍ୟ ଛାଡ଼ କାର୍ଯ୍ୟକ୍ରମରୁ ଭାରତକୁ ହଟାଇ ଦେଇଥିଲେ। ଏହା ଗତ ୫ରୁ ଲାଗୁ ହୋଇଛି। ଏଣିକି ଭାରତରୁ ଆମେରିକାକୁ ଯାଉଥିବା ସମସ୍ତପ୍ରକାର ସାମଗ୍ରୀ ଉପରେ ସ୍ଥାନୀୟ ସରକାର ଆମଦାନୀ ଶୁଳ୍କ ଲାଗୁ କରିବ। ରାଷ୍ଟ୍ରପତି ଟ୍ରମ୍ପ ଅଭିଯୋଗ କରିଥିଲେ ଯେ, ଆମେରିକାର ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ଆଦାୟ କ୍ଷେତ୍ରରେ ଭାରତ ତର୍କସଙ୍ଗତ ତଥା ସମାନ ସୁବିଧା ଦେଉନାହିଁ। ତେବେ ଆମେରିକାର ନିଷ୍ପତ୍ତିକୁ ଭାରତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଅଭିହିତ କରିଛି। ଗୋୟଲ କହିଛନ୍ତି ଯେ, ଭାରତ ଏବେ ଅବିକଶିତ ଅଥବା ସ୍ବଳ୍ପ ବିକଶିତ ଦେଶ ନୁହେଁ। ଏଭଳି ଛାଡ଼ ଉପରେ ଭାରତ ଏବେ ନିର୍ଭରଶୀଳ ନୁହେଁ। କିଛି ସେକ୍ଟର ଉପରେ ୧ ଅଥବା ୨ ପ୍ରତିଶତ ପ୍ରଭାବ ପଡ଼ିପାରେ। ତେବେ ଭାରତକୁ ସାହାଯ୍ୟର ହାତ ବଢ଼ାଇବା ଲାଗି ଏଭଳି ବହୁ ଦେଶ ରହିଛନ୍ତି, ଯାହାଙ୍କ ଠାରୁ ଦେଶ ସହାୟତା ନେବ।

Share