ଜିତେନ୍ଦ୍ରଙ୍କ ‘ଦି ଲାଷ୍ଟ୍‌ କଲର୍‌’ ଶ୍ରେଷ୍ଠ ଫିଚର ଫିଲ୍ମ

ଭୁବନେଶ୍ୱର, ୧୭-୯(ବ୍ୟୁରୋ):ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଯୋଜକ ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ଫିଚର ଫିଲ୍ମ ‘ଦି ଲାଷ୍ଟ୍‌ କଲର୍‌’ ପୁଣି ଏକ ମାଇଲଷ୍ଟୋନ୍‌ ଅତିକ୍ରମ କରିଛି। ଜିତେନ୍ଦ୍ରଙ୍କ ନିର୍ମିତ ଏହି ଫିଲ୍ମ ଇଣ୍ଡିଆ ଇଣ୍ଟରନ୍ୟାଶ୍‌ନାଲ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ବୋଷ୍ଟନ୍‌ର ଉଦ୍‌ଘାଟନୀ ସମାରୋହରେ ପ୍ରଦର୍ଶିତ ହେବାର ଗୌରବ ଅର୍ଜନ କରିଛି। ସେପ୍ଟେମ୍ବର ୧୩ରେ ଯୁକ୍ତରାଷ୍ଟ ଆମେରିକାର ବୋଷ୍ଟନ୍‌ ସହରରେ ଥିବା ଜନ୍‌ ଏଫ୍‌. କେନେଡି ପ୍ରେସିଡେନ୍ସିଆଲ ଲାଇବ୍ରେରୀ ଆଣ୍ଡ୍‌ ମ୍ୟୁଜିୟମ୍‌ରେ ଏହା ପ୍ରଦର୍ଶିତ ହେବାସହ ଦୁଇଟି ପୁରସ୍କାର ହାସଲ କରିଛି। ‘ଦି ଲାଷ୍ଟ୍‌ କଲର୍‌’କୁ ମିଳିଛି ଶ୍ରେଷ୍ଠ ଫିଚର୍‌ ଫିଲ୍ମ ଏବଂ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର। ସେଲିବ୍ରିଟି ସେଫ୍‌ ବିକାଶ ଖାନ୍ନାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ କିଛିଦିନ ତଳେ ଜାତିସଂଘ ମୁଖ୍ୟାଳୟରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଥିଲା। ଏହାସହ ୩୦ତମ ଆନୁଆଲ୍‌ ପାମ୍‌ ସ୍ପ୍ରିଙ୍ଗ୍‌ସ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରିମିୟର୍‌ ହୋଇଥିବାବେଳେ ସମ୍ମାନଜନକ କାନ୍‌ସ ଫିଲ୍ମ ଫେଷ୍ଟିଭାଲ୍‌ ୨୦୧୯ରେ ସ୍ବତନ୍ତ୍ରଭାବେ ସ୍କ୍ରିନିଂ ହୋଇଥିଲା। କିଛିବର୍ଷ ପୂର୍ବେ ବିକାଶ ଖାନ୍ନାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦି ଲାଷ୍ଟ୍‌ କଲର୍‌’ ଉପରେ ଆଧାରିତ ଏହି ଫିଲ୍ମରେ ଅଭିନେତ୍ରୀ ନିନା ଗୁପ୍ତା ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ୮୬ ମିନିଟର ଏହି ଫିଲ୍ମରେ ବୃନ୍ଦାବନରେ ବିଧବା ମହିଳାମାନେ ହୋଲି ଖେଳିବାକୁ ନେଇ ରହିଥିବା କଟକଣା ଓ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ରାୟକୁ ଦର୍ଶାଯାଇଛି। ମହିଳାମାନଙ୍କ ବିରୋଧରେ ରହିଥିବା ବିଭିନ୍ନ କୁପ୍ରଥା ଏବଂ ସାମାଜିକ ପ୍ରତିବନ୍ଧକ ବିରୋଧରେ ଲଢ଼େଇ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଏହି ଫିଲ୍ମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିତେନ୍ଦ୍ର କହିଛନ୍ତି।

Share