Categories: ଯାଜପୁର

ଜିନ୍ଦଲଙ୍କ ୮୯ତମ ଜୟନ୍ତୀ ପାଳିତ

କଳିଙ୍ଗନଗର,୭ା୮(ଡି.ଏନ୍‌.ଏ.): ଜିନ୍ଦଲ ଗ୍ରୁପ୍‌ର ପ୍ରତିଷ୍ଠାତା ଓ.ପି.ଜିନ୍ଦଲଙ୍କ ୮୯ତମ ଜନ୍ମ ଜୟନ୍ତୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ କଳିଙ୍ଗନଗରଠାରେ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିନ୍ଦଲ କମ୍ପାନୀର ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର ଅଭ୍ୟୁଦୟ ଜିନ୍ଦଲ, ସିଓଓ ତରୁଣ ଖୁଲ୍‌ବେ, କାରଖାନା ମୁଖ୍ୟ ଆର.ଏସ୍‌. ବୈଦ୍ୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ସମସ୍ତ କର୍ମଚାରୀ ଯୋଗଦେଇଥିଲେ। ପ୍ରଥମେ ଓ.ପି.ଜିନ୍ଦଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ କାରଖାନା ବୃତ୍ତିଗତ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଭାରତୀୟ ରେଡ୍‌କ୍ରସ ସୋସାଇଟ କଟକର ମିଳିତ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହାକୁ କମ୍ପାନୀର ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର ଉଦ୍‌ଘାଟନ କରି ନିଃସ୍ବାର୍ଥପର ମାନବସେବା ଉପରେ ଗୁରୁତ୍ୱ ପ୍ରଦାନ କରି ‘ରକ୍ତଦାତା ଜୀବନ ଦାତା‘ବୋଲି କହିଥିଲେ। ଏହି ଶିବିରରେ ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡରେ କାର୍ଯ୍ୟରତ ୧୫୫ ପୁରୁଷ ଓ ମହିଳା କର୍ମଚାରୀଙ୍କ ସହିତ ଠିକା କର୍ମଚାରୀ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। କାରଖାନାର ବରିଷ୍ଠ ଅଧିକାରୀମାନେ ରକ୍ତଦାନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଯାଜପୁର ରୋଡଠାରେ ଥିବା ଶାନ୍ତି ନିବାସରେ ରହୁଥିବା ଅସହାୟ ବ୍ୟକ୍ତି ବିଶେଷଙ୍କୁ ବେଡସିଟ ଓ ମଧ୍ୟାହ୍ନଭୋଜନ, କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ କମ୍ବଳ, ଫଳ ଓ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା। ସେହିପରି ଯୋଡାବରଠାରେ ଥିବା ଅନାଥାଶ୍ରମର ଅନ୍ତେବାସୀମାଙ୍କୁ ରାତ୍ରୀ ଭୋଜନ ତଥା ଦାନଗଦୀ ଓ ଯାଜପୁର ରୋଡର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାରଖାନାର ମାନବ ସମ୍ବଳ, ପ୍ରଶାସନିକ, ସିଏସ୍‌ଆର, ଓଏଚ୍‌ସି ଓ ବାହ୍ୟ ସମ୍ପର୍କ ବିଭାଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।