Categories: ଜାତୀୟ

ଜିନ୍ନା ଥିଲେ ଧର୍ମନିରପେକ୍ଷ ନେତା; କଂଗ୍ରେସ ଯୋଗୁ ହୋଇଥିଲା ଦେଶ ବିଭାଜନ

କୋଲକାତା,୨୨।୧: ଭାରତ ବିଭାଜନ ନେଇ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ତଥା ପଶ୍ଚିମବଙ୍ଗ ଭାଜପା ଉପାଧ୍ୟକ୍ଷ ଚନ୍ଦ୍ର କୁମାର ବୋଷ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ମହମ୍ମଦ୍‌ ଅଲ୍ଲୀ ଜିନ୍ନା ଜଣେ ଧର୍ମନିରପେକ୍ଷ ନେତା ଥିଲେ। ତେବେ କଂଗ୍ରେସ ଦଳର କେତେକ ସାମ୍ପ୍ରଦାୟିକ ନେତାଙ୍କ ଯୋଗୁ ଅଖଣ୍ଡ ଭାରତର ବିଭାଜନ ହୋଇଥିଲା। ଭାରତରେ ରାଜନୈତିକ ସଫଳତା ନ ମିଳିବାର ଆଶଙ୍କା କରି ସେ ଦେଶ ବିଭାଜନ ପ୍ରସ୍ତାବ ରଖିଥିଲେ। ୧୯୪୦ ଲାହୋର ସମ୍ମିଳନୀରେ ଜିନ୍ନା ପାକିସ୍ତାନ ଦାବି ଉଠାଇଥିଲେ। ଶେଷରେ ସର୍ଦ୍ଦାର ପଟେଲ, ଜବାହର ଲାଲ୍‌ ନେହେରୁ ଏବଂ ମହାତ୍ମା ଗାନ୍ଧୀଙ୍କର ଇଛା ନ ଥିଲେ ମଧ୍ୟ ଏହାକୁ ସ୍ବୀକାର କରିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି। ୧୯୫୫ ପର୍ଯ୍ୟନ୍ତ ପାକିସ୍ତାନ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ କାର୍ଯ୍ୟ କରିଥିଲା। ତେବେ ଜିନ୍ନାଙ୍କ ମୃତ୍ୟୁ ପରେ ଏହା ଏକ ଇସଲାମିକ୍‌ ରାଷ୍ଟ୍ରରେ ପରିଣତ ହୋଇଥିଲା। ଅପରପକ୍ଷରେ ଭାରତ ଧର୍ମନିରପେକ୍ଷ ଥିଲା ଏବଂ ରହିଛି ମଧ୍ୟ। ଭାରତର ଆତ୍ମା ହିଁ ଧର୍ମନିରପେକ୍ଷ ବୋଲି ସେ କହିଛନ୍ତି। ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ଦିନ ଜାନୁୟାରୀ ୨୩କୁ ଦେଶଭକ୍ତି ଦିବସ ଭାବେ ପାଳନ କରିବା ଦାବି ନେଇ ପ୍ରଦର୍ଶନ କରୁଥିବା ଅବସରରେ ଚନ୍ଦ୍ର ବୋଷ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share