Categories: ଜାତୀୟ

ଜିନ୍ସ ଓ କେପ୍ରି ପିନ୍ଧିଲେ ମିଳିବନି ଡ୍ରାଇଭିଂ ଲାଇସେନ୍ସ

ଚେନ୍ନାଇ୨୨।୧୦: ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ଲାଗୁ ହେବା ପରେ ଲୋକେ ସଚେତନ ହୋଇ ଉଠିଛନ୍ତି। ଆରଟିଓ ଅଫିସରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ମହିଳାଙ୍କଠାରୁ ଆରମ୍ଭ କରି ଯୁବତୀ ଏବଂ ବୟସ୍କ ବ୍ୟକ୍ତିଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି। ହେଲେ ଲାଇସେନ୍ସ ପାଇଁ ଆସୁଥିବା କୌଣସି ଯୁବତୀ କିମ୍ବା ମହିଳା ଜିନ୍ସ ବା କେପ୍ରି ପିନ୍ଧି ଆସୁଥିଲେ ସେମାନଙ୍କୁ ଆରଟିଓ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ଦିଆଯାଉନାହିଁ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ଘଟଣା ସାମ୍ନାକୁ ଆସିଛି ଚେନ୍ନାଇରୁ। ଚେନ୍ନାଇର ଆରିଟିଓ ଅଫିସ ଏଭଳି ନିୟମ ଲାଗୁ କରିବାରୁ ଯୁବତୀ ଓ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କିଛିଦିନ ତଳେ ଚେନ୍ନାଇରେ କାର୍ଯ୍ୟରତ ପବିଥ୍ରା ନାମକ ଜଣେ ଯୁବତୀ ଡ୍ରାଇଭିଂ ଲାଇସେନ୍ସ ପାଇଁ କେକେ ନଗର ଆରଟିଓକୁ ଯାଇଥିଲେ। ସେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ଜିନ୍ସ ଓ ହାତ କଟା ଟପ୍ସ ପିନ୍ଧିଥିଲେ। ଏହାକୁ ଦେଖି ମୋଟର ଭେଇକିଲ ଇନସପେକ୍ଟର ତାଙ୍କୁ ଲାଇସେନ୍ସ ମିଳିପାରିବ ନାହିଁ ବୋଲି କହିଥିଲେ। ପ୍ରଥମେ ସାଲୁଆର ଓ କମିଜ ବା ଭଲ ଦେଖାଯାଉଥିବା ଡ୍ରେସ ପିନ୍ଧିକି ଆସିଲେ ଲାଇସେନ୍ସ ମିଳିବ ବୋଲି ସେ କହିଥିଲେ। ପବିଥ୍ରା ମଧ୍ୟ ଉକ୍ତ ଅଧିକାରୀଙ୍କ କଥା ମାନି ତୁରନ୍ତ ସାଲୁଆର କମିଜ ପିନ୍ଧି ପୁଣିଥରେ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଅନ୍ୟପଟେ ଡ୍ରାଇଭିଂ ଲାଇସେନ୍ସ ପାଇଁ କୌଣସି ଡ୍ରେସ କୋଡର ନିୟମ ନ ଥିବା ବେଳେ କେବଳ ଆବେଦନକାରୀଙ୍କ ବୟସ ୧୮ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବା ଦରକାର। ହେଲେ ଚେନ୍ନାଇ ଆରଟିଓ ଏଭଳି ନିୟମ ଲାଗୁ କରିବା ପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share