ଜିପ୍‌ରେ ପରୀକ୍ଷାର୍ଥୀଙ୍କୁ ଘରେ ଛାଡ଼ିଲେ ତହସିଲଦାର

ଦିଗପହଣ୍ଡି,୨୫ା୨(ଡି.ଏନ.ଏ.)-ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ ସୋମବାର ମଧ୍ୟାହ୍ନରେ ଫାଶିଗୁଡା ଗ୍ରାମ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ଫେରୁଥିବା ବେଳେ ଭୀଷ୍ମଗିରି-ନିମଖଣ୍ଡି ପେଣ୍ଠ ମୁଖ୍ୟ ରାସ୍ତାରେ ମାଟ୍ରିକ ପରୀକ୍ଷାର୍ଥୀମାନେ ୨ଟି ଅଟୋରେ ବିପଦସଙ୍କୁଳ ଅବସ୍ଥାରେ ଘରକୁ ଫେରୁଥିବା ଦେଖିଥିଲେ। ରାସ୍ତାରେ ଅଟୋ ଦୁଇଟିକୁ ଅଟକାଇ ଅଟୋ ଚାଳକଙ୍କୁ ତାଗିଦ୍‌ କରିବା ସହ ପରୀକ୍ଷାର୍ଥୀଙ୍କୁ ଖମାରିଗଁା ପଞ୍ଚାୟତ ଶଙ୍କର ଖାଳିଗଁା ଏବଂ ନିମଖଣ୍ଡି ପେଣ୍ଠ ଗଁା ସ୍ଥିତ ପରୀକ୍ଷାର୍ଥୀଙ୍କ ଘରେ ଛାଡିଥିଲେ। ପରୀକ୍ଷାର୍ଥୀଙ୍କୁ ତହସିଲଦାର ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରି ଉତ୍ତର ଦେବା ସହ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ କହିଥିଲେ। ପରେ ସେମାନଙ୍କ ଅଭିଭାବକଙ୍କୁ ଡକାଇ ପରୀକ୍ଷା କେନ୍ଦ୍ରକୁ ପିଲାଙ୍କୁ ନେବାଆଣିବା ନିମନ୍ତେ ବିକଳ୍ପ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟକୁ ପାସେଞ୍ଜର ଅଟୋ ଯୋଗେ ଛାତ୍ରୀଛାତ୍ରଙ୍କ ଯାତାୟତ ପ୍ରତି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ନିକଟରେ ସ୍କୁଲ ଅଟୋରୁ ପଡ଼ି ଦିଗପହଣ୍ଡିରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିବା ସହ ଏକାଧିକ ଦୁର୍ଘଟଣା ଘଟୁଥିବାରୁ ଅଟୋରେ ଛାତ୍ରୀଛାତ୍ରମାନଙ୍କୁ ନେବା ଆଣିବା ପ୍ରତି ପୋଲିସ ଓ ପ୍ରଶାସନିକ ସ୍ତରରେ ସଚେତନତା କରାଯାଉଛି ବୋଲି ତହସିଲଦାର କହିଛନ୍ତି। ଅପରପକ୍ଷରେ ଅଭିଭାବକମାନେ ପିଲାଙ୍କୁ ବିଦ୍ୟାଳୟକୁ କିଭଳି ପଠାଇବେ ଚିନ୍ତାରେ ପଡିଛନ୍ତି।

Share