Categories: ଖେଳ

ଜିମ୍ବାଓ୍ବେରେ ଦୁଇ ଟେଷ୍ଟ ମ୍ୟାଚ ଖେଳିବ ଶ୍ରୀଲଙ୍କା

କଲମ୍ବୋ, ୧୩ା୧ (ଏଏଫ୍‌ପି)-ଶ୍ରୀଲଙ୍କା କ୍ରିକେଟ ଟିମ୍‌ ଗୁରୁବାର ଜିମ୍ବୋଓ୍ବେ ଅଭିମୁଖେ ଯାତ୍ରା କରିବ। ଦଳ ସେଠାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବାସନ୍ଦ ଦଣ୍ଡ ଉଠାଇବା ପରେ ଆୟୋଜକ ଆଫ୍ରିକୀୟ ଦେଶ ପାଇଁ ଏହା ପ୍ରଥମ। ଉଭୟ ଟେଷ୍ଟ ମ୍ୟାଚ ହରାରେଠାରେ ଖେଳାଯିବ। ପ୍ରଥମଟି ଆସନ୍ତା ରବିବାରଠାରୁ ଖେଳାଯିବକୁଥିବା ବେଳେ ଦ୍ୱିତୀୟଟି ଜାନୁୟାରୀ ୨୭ରୁ ଖେଳାଯିବ ବୋଲି ଶ୍ରୀଲଙ୍କା କ୍ରିକେଟ ବୋର୍ଡ କହିଛି। ଦୁଇଟି ମ୍ୟାଚ ପାଇଁ ବୋର୍ଡ କିନ୍ତୁ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ଟେଷ୍ଟ ଦଳ ଘୋଷଣା କରି ନାହିଁ। ଗତଥର ୨୦୧୮ ନଭେମ୍ବରରେ ବାଂଲଦେଶ ଟୁର୍‌ ବେଳେ ଜିମ୍ବୋଓ୍ବେ ଏକ ଟେଷ୍ଟ ମ୍ୟାଚ ଖେଳିଥିଲା। ରାଜନୈତିକ ହସ୍ତକ୍ଷେପ ପାଇଁ ଗତ ଜୁଲାଇରୁ ଏହି ଦେଶକୁ ଆଇସିସି ଇଭେଣ୍ଟଗୁଡ଼ିକରୁ ବାରଣ କରାଯାଇଥିଲା। ମାତ୍ର ଏହାର ୩ ମାସ ପରେ ଆଇସିସି ବାସନ୍ଦ ବ୍ୟବସ୍ଥା ପ୍ରତ୍ୟାହାର କରିନେଇଥିଲା। କ୍ରୀଡ଼ାରେ ରାଜନୈତିକ ବିବାଦ ଏବଂ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ୨୦୦୫ରେ ଜିମ୍ବାଓ୍ବେ ଉପରୁ ଟେଷ୍ଟ ମାନ୍ୟତା ପ୍ରତ୍ୟାହାର କରି ନିଆଯାଇଥିଲା। ମାତ୍ର ଏହି ଦେଶ କିନ୍ତୁ ଅନ୍ତର୍ଜାତୀୟ ଟି୨୦ ଏବଂ ଦିନିକିଆ ଖେଳୁଥିଲା। ୨୦୧୧ରେ ଜିମ୍ବାଓ୍ବେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲା। ର଼୍ୟାଙ୍କିଙ୍ଗ ତାଲିକାରେ ବର୍ତ୍ତମାନ ଏହି ଦେଶ ଆୟର୍ଲାଣ୍ଡ ଉପରେ ୧୧ତମ ସ୍ଥାନରେ ରହିଛି। ୬ଷ୍ଠ ର଼୍ୟାଙ୍କିଙ୍ଗପ୍ରାପ୍ତ ଶ୍ରୀଲଙ୍କା ଗତ ମାସରେ ୨୦୦୯ ପରେ ପ୍ରଥମ ରାଷ୍ଟ୍ର ଭାବେ ପାକିସ୍ତାନ ଟୁର୍‌ରେ ଯାଇଥିଲା।

Share