Categories: ଖେଳ

ଜିମ୍ବାଓ୍ବେ ଅଧିନାୟକ ମାସକାଡ୍‌ଜାଙ୍କ ଅବସର ଘୋଷଣା

ହରାରେ,୪।୯: ଜିମ୍ବାଓ୍ବେ କ୍ରିକେଟ ଦଳର ଅଧିନାୟକ ହାମିଲଟନ ମାସକାଡ୍‌ଜା ୧୮ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରକୁ ଅନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାଂଲାଦେଶରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ତାଙ୍କ କ୍ୟାରିୟରର ଅନ୍ତିମ ଅନ୍ତର୍ଜାତୀୟ ଇଭେଣ୍ଟ ହେବ ବୋଲି ସେ ଘୋଷଣା କରିଛନ୍ତି। ଆଫଗାନିସ୍ତାନକୁ ନେଇ ହେବାକୁ ଥିବା ସିରିଜ୍‌ ଚଳିତ ମାସ ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ୩୬ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ୩୮ ଟେଷ୍ଟ, ୨୦୯ ଦିନିକିଆ ଓ ୬୨ ଟି୨୦ ଖେଳି ମୋଟ ୯,୪୧୦ ରନ୍‌ କରିଛନ୍ତି। ଏଥିରେ ୧୦ ଶତକ ଓ ୪୨ ଅର୍ଦ୍ଧଶତକ ରହିଛି। ସର୍ବାଧିକ ଟେଷ୍ଟ ଓ ଦିନିକିଆ ରନ କରିଥିବା ଜିମ୍ବାଓ୍ବେ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ମାସକାଡ୍‌ଜା ୪ର୍ଥ ସ୍ଥାନରେ ରହିଛନ୍ତି। ୨୦୦୧ରେ ଏହି ବ୍ୟାଟ୍ସମ୍ୟାନ ୧୭ ବର୍ଷ ୩୫୪ ଦିନରେ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ। ସେତେବେଳେ ସର୍ବକନିଷ୍ଠ ଖେଳାଳି ଭାବେ ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ହୋଇପାରିଥିଲେ। ଏହାପରେ ବାଂଲାଦେଶର ମହମ୍ମଦ ଅଶ୍ରଫୁଲ ଏହି ରେକର୍ଡ ଭାଙ୍ଗିଥିଲେ।

Share