Categories: ଖେଳ

ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ବାସନ୍ଦ

ହାରରେ,୨୨।୬(ଏପି): ଦୁର୍ନୀତି ଅଭିଯୋଗ ଆସିବା ପରେ ଦେଶରେ କ୍ରୀଡ଼ା ପରିଚାଳନା କରୁଥିବା ସରକାରୀ ସଂସ୍ଥା ପକ୍ଷରୁ ଜିମ୍ବାଓ୍ବେ କ୍ରିକେଟ୍‌ (ଜେଡ୍‌ସି) ବୋର୍ଡକୁ ବାସନ୍ଦ କରାଯାଇଛି। ସ୍ପୋଟର୍‌ସ ଓ ରିକ୍ରିଏଶନ କମିଶନ (ଏସ୍‌ଆରସି)ର ନିର୍ଦ୍ଦେଶକୁ ଅବହେଳା କରିଥିବାରୁ ଜେଡ୍‌ସିକୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଦୁର୍ନୀତି ଅଭିଯୋଗର ତଦନ୍ତ ନ ହେବା ପର୍ଯ୍ୟନ୍ତ ଜେଡ୍‌ସିକୁ ସଭାପତି ପଦ ଲାଗି କୌଣସି ନିର୍ବାଚନ ନ କରିବାକୁ ଏସ୍‌ଆରସି ପକ୍ଷରୁ ଗତ ସପ୍ତାହରେ କୁହାଯାଇଥିଲା। ହେଲେ ଏହି ନିର୍ଦ୍ଦେଶକୁ ଅବହେଳା କରି ଜିମ୍ବାଓ୍ବେ କ୍ରିକେଟର ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହୋଇଥିଲା, ଯେଉଁଥିରେ ମୁକୁଲାନି ଆଗାମୀ ୪ ବର୍ଷ ଲାଗି ପୁନଃ ନିର୍ବାଚିତ ହୋଇଥିଲେ। ଏଥିଯୋଗୁ ବୋର୍ଡର କାର୍ଯ୍ୟକାରୀ ମ୍ୟାନେଜିଂ ଡିରେକ୍ଟର ଗିଭମୋର ମାକୋନିଙ୍କୁ ବିଦା କରାଯାଇଛି। ଏ ସମ୍ପର୍କରେ ଏସ୍‌ଆରସି ପକ୍ଷରୁ କୁହାଯାଇଛି ଯେ, ଜେଡ୍‌ସି ଅଫିସିଆଲଙ୍କ ବିରୋଧରେ ଦୁର୍ନୀତି ଓ ଟଙ୍କା ଅପବ୍ୟବହାର ଅଭିଯୋଗ ଆସିଛି। ଏଥିରେ ଆଇସିସି ନିକଟରୁ ଆସୁଥିବା ଆର୍ଥତ୍କ ସହାୟତା ମଧ୍ୟ ସାମିଲ ରହିଛି। ଏହାର ତଦନ୍ତ କରାଯିବ। ତଦନ୍ତ ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ ଜିମ୍ବାଓ୍ବେ କ୍ରିକେଟର ପରିଚାଳନା ଲାଗି ଏକ ଅନ୍ତରୀଣ କମିଟି ନିଯୁକ୍ତ କରାଯାଇଛି। ଏହାର ମୁଖ୍ୟ ଦାୟିତ୍ୱ ଜିମ୍ବାଓ୍ବେ କ୍ରିକେଟ ସିଇଓ ଡେଭ ଇଲମାନ ବ୍ରାଉନଙ୍କୁ ଦିଆଯାଇଛି।

Share