ଜିରୋ ନାଇଟରେ ହୋଟେଲରେ ଅଶ୍ଳୀଳ ନୃତ୍ୟ: ବିରୋଧ କରିବେ କଳିଙ୍ଗସେନା, ବଜରଙ୍ଗ ଦଳ

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ନୂଆବର୍ଷକୁ ଆଇ ଅଳ୍ପ ଦିନ ବାକି ଥିବାବେଳେ ସେଲିବ୍ରେଶନ ପାଇଁ ରାଜଧାନୀବାସୀ ଏବେଠୁ ପ୍ରସ୍ତୁତ ହେଲେଣି। ୨୦୧୯କୁ ବିଦାୟ ଦେଇ ଜିରୋ ନାଇଟ୍‌ରେ ନୂତନ ବର୍ଷକୁ ସ୍ବାଗତ କରିବା ସହ ବିଭିନ୍ନ ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଯୋରଦାର ହେଲାଣି। ମାତ୍ର ଜିରୋ ନାଇଟ୍‌ ନଁ।ରେ ହୋଟେଲ ଗୁଡ଼ିକରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଥିବା ଅଭିଯୋଗ ହୋଇଥାଏ। ତେବେ ଚଳିତ ବର୍ଷ ଜିରୋ ନାଇଟ୍‌ ସେଲିବ୍ରେସନ ନଁାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ବିରୋଧ କରିବ ବଜରଙ୍ଗ ଦଳ ଏବଂ କଳିଙ୍ଗ ସେନା। ଏନେଇ କିଳିଙ୍ଗ ସେନା ପକ୍ଷରୁ କୁହାଯାଉଛି ଯେ, ନୂଆ ବର୍ଷ ଲାଗି ଯେଉଁ ହୋଟେଲରେ ବାହାରୁ ଯୁବତୀମାନଙ୍କୁ ଆଣି ଅଶ୍ଳୀଳ ନୃତ୍ୟ ପରିବେଷଣ ଖବର ପାଇବେ ସେଠାରେ ସେନାର କର୍ମୀମାନେ ପଶି ତାଣ୍ଡବ ନୃତ୍ୟ କରିବେ। ଶନିବାର କଳିଙ୍ଗସେନାର ଏକ ପ୍ରତିନିଧି ଦଳ ଡିସିପିଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଅଭିଯୋଗପତ୍ର ଦେବ ବୋଲି ସେନାର ସାଧାରଣ ସମ୍ପାଦକ ସ୍ବାତୀଶ ରଞ୍ଜନ ସାହୁ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି। ଜିରୋ ନାଇଟ୍‌ରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରି ଓଡିଶାର କଳା ସଂସ୍କୃତିକୁ ଅପମାନ କରାଯାଉଛି। ଓଡ଼ିଶାରେ ଅନେକ ସୁନାମଧନ୍ୟ କଳାକାର ରହିଛନ୍ତି। ସେମାନଙ୍କ ଦ୍ୱାରା ଜିରୋ ନାଇଟ୍‌ ପାଳନ ନ କରି ବିଦେଶରୁ ଯୁବତୀଙ୍କୁ ଆଣି ଅଶ୍ଳୀଳ ନୃତ୍ୟ ପରିବେଷଣ ଆଦୌ ଗ୍ରହଣୀୟ ନୁହେଁ।
ସେହିପରି ବଜରଙ୍ଗ ଦଳ ଓଡ଼ିଶା ପୂର୍ବର ଦେବାଶିଷ ରାଉତ କହିଛନ୍ତି ଯେ, ଜିରୋ ନାଇଟ୍‌ରେ ପାଶ୍ଚାତ୍ୟ ଶୈଳୀରେ ସେଲିବ୍ରେସନ ଆଳରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରାଯାଉଛି। ଏହାକୁ ମଧ୍ୟ ବଜରଙ୍ଗ ଦଳ ବିରୋଧ କରି ହୋଟେଲ ମାଲିକଙ୍କୁ ଚେତାବନୀ ଦେଇଛି। ଓଡ଼ିଶାର କଳା ସଂସ୍କୃତି ସାହାଯ୍ୟରେ ନୂଆ ବର୍ଷ ପାଳନ କରିବା ନେଇ ଲୋକଙ୍କୁ ସଚେତନ କରାଯିବା ସହ ବିଭିନ୍ନ ସ୍ଥାନରେ ଏନେଇ ପୋଷ୍ଟର ମାରାଯିବ ବୋଲି ସେ କହିଥିଲେ। ଏହାସହ ଶୁକ୍ରବାର ବଜରଙ୍ଗ ଦଳର ସଦସ୍ୟମାନେ ସିଏଏ ଓ ଏନ୍‌ଆରସିକୁ ସମର୍ଥନ କରି ୟୁନିଟ-୮ରୁ ଏକ ବିଶାଳ ବାଇକ ରାଲିରେ ବାହାରି ମାଷ୍ଟର କ୍ୟାଣ୍ଟିନ ଯାଇଥିଲେ। ସେଠାରେ ଲୋଙ୍କୁ ଲିପ୍‌ଲେଟ ବାଣ୍ଟିବା ସହ ସଚେତନ କରିଥିଲେ। ଏନେଇ ଡିସିପି ଅନୁପ କୁମାର ସାହୁ କହିଛନ୍ତି ଯେ, ଜିରୋ ନାଇଟ ପାଇଁ ସୁରକ୍ଷା କଡାକଡି କରାଯିବ। ଏପରିକି ହୋଟେଲ ଆଗରେ ସୁରକ୍ଷା ବଢାଯିବ। ଯେଉଁଠି କିଛି ଅଘଟଣା ଦେଖାଯିବ ପୋଲିସ ତୁରନ୍ତ ପଦେକ୍ଷପ ନେବ।

Share