ଜିଲାକୁ ମରୁଡ଼ି ଘୋଷଣା ଦାବିରେ ଗଣଧାରଣା

ବାଲେଶ୍ୱର ଅଫିସ, ୪।୮-ବାଲେଶ୍ୱର ଜିଲାକୁ ମରୁଡି ଘୋଷଣା ଦାବିରେ ‘କୃଷକ ସଂଘର୍ଷ ସମିତି’ ବାଲେଶ୍ୱର ଶାଖା ପକ୍ଷରୁ ଶନିବାର ପୂର୍ବାହ୍ନରେ ଜିଲାପାଳ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦିଆଯାଇଥିଲା। ଓଡ଼ିଶା କୃଷକ ସଭା ଜିଲାସଭାପତି ପ୍ରେମ ରଞ୍ଜନ ପାତ୍ରଙ୍କ ସଭାପତିତ୍ୱରେ ରାଜ୍ୟର ବିଜେଡି, କେନ୍ଦ୍ରରେ ଏନ୍‌ଡ଼ିଏ ସରକାରଙ୍କର ଚାଷୀ ମାରଣ ନୀତି ଉପରେ ତୀବ୍ର ସମାଲୋଚନା କରିଥିଲେ। ଏହାର ଏକ ଦାବିପତ୍ର ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୃଥକ ଦାବିପତ୍ର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଜରିଆରେ ପ୍ରଦାନ କରିଛନ୍ତି।
ବିଭିନ୍ନ ସଙ୍ଗଠନର ନେତୃବୃନ୍ଦମାନେ ଜିଲାକୁ ମରୁଡ଼ି ଘୋଷଣା କରିବା ସହିତ ସମ୍ଭାବ୍ୟ ମରୁଡ଼ିର ତୁରନ୍ତ ପ୍ରତିକାର ସମେତ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩,୬୪୫ ଟଙ୍କା ଦାବି କରିଥିଲେ। ସମସ୍ତ କୃଷକ ଓ କୃଷି ଶ୍ରମିକମାନଙ୍କୁ ମାସିକ ପେନସନ୍‌ ୫ହଜାର ଟଙ୍କା, ଭୂମିହୀନମାନଙ୍କୁ ଜମିପଟ୍ଟା ସହିତ ଜଙ୍ଗଲ ଜମିର ପଟ୍ଟା ପାଇଁ ସମସ୍ତ ଦରଖାସ୍ତକାରୀଙ୍କୁ ଜମି ଯୋଗାଇ ଦେବା, କୃଷି ଶ୍ରମିକମାନଙ୍କୁ ଏକକାଳୀନ ଋଣମୁକ୍ତ କରିବା, ଶ୍ରମିକ ପରିବାରର ସମସ୍ତ ସଦସ୍ୟାସଦସ୍ୟମାନଙ୍କୁ ସ୍ବାସ୍ଥ୍ୟବୀମା, ପଶୁ ସମ୍ପଦକୁ ବୀମାଭୁକ୍ତ ଯୋଜନାରେ ସାମିଲ୍‌ କରିବା ଭଳି ଦାବି କରିଥିଲେ। ଏହାର ସୁଫଳ ନ ମିଳିଲେ ଚାଷୀମାନେ ଜିଲାରେ ବ୍ୟାପକ ଆନ୍ଦୋଳନ କରିବାର ଚେତାବନୀ ଦେଇଛନ୍ତି। ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, କୃଷକ ସଭାର ରାଜ୍ୟ ନେତୃତ୍ୱ ନିର୍ମଳ ନାୟକ, କ୍ଷେତ ମଜଦୂର ୟୁନିଅନ୍‌ର ରାଜ୍ୟସଭାପତି ଶିଶିର ହୁଇ, କୃଷକ ସଭା ଜିଲା ସମ୍ପାଦକ ସୀତାଂଶୁ ସେନାପତି, ଶ୍ରମିକନେତା ଭାଗବତ ପତିହାର, ଗୌରାଙ୍ଗ ପାଣିଗ୍ରାହୀ, ବିଜୟ ପାତ୍ର, ଦଳିତ ସଙ୍ଗଠନର ନେତା ପଞ୍ଚାନନ ପରିଡ଼ା, କୃଷକ ନେତା ଅରୁଣ ଜେନା, ମହିଳା ନେତ୍ରୀ ସନ୍ଧ୍ୟା ଦାସ ମଜୁମଦାର, ଦୀପ୍ତିମାନ ଆଚାର୍ଯ୍ୟ, ହରିପ୍ରିୟା ଜେନା, ଆଦିବାସୀ ଅଧିକାର ମଞ୍ଚର ସଦସ୍ୟ କୃଷ୍ଣ ମୋହନ ମୁର୍ମୁ, ଦିଲୀପ ଗିରି, ଯୋଗାନନ୍ଦ ଦାସ, ସମାଜବାଦୀ ଦଳର ନେତା ମହମ୍ମଦ ସଫିକ୍‌, ମଣ୍ଟୁ ନାୟକ, ସରପଞ୍ଚ କବିତା ଦେ ପ୍ରମୁଖଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା।