ଜିଲାପାଳଙ୍କୁ ଗୁହାରି: ଅନୁକମ୍ପା ଭିତ୍ତିରେ ନିଯୁକ୍ତି ଦିଅ

ଯୋଡ଼ା, ୨୭।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ତଥା ବଡବିଲ ପୌରପାଳିକାର ୨ନଂ ଓ୍ବାର୍ଡ ବେଲକୁଣ୍ଡି ଠାରେ ଥିବା ଅଙ୍ଗନଓାଡି କର୍ମୀ ପଦବୀରେ ସ୍ଥାନୀୟ ମହିଳାଙ୍କୁ ଆଗ୍ରାଧିକାର ଦେବା ନିମନ୍ତେ ଗ୍ରାମବାସୀ ଯୋଡା ବ୍ଲକ ବିଡିଓଙ୍କ ମାଧ୍ୟମରେ କେନ୍ଦୁଝର ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ଉକ୍ତ ୨ନଂ ଓାର୍ଡରେ ସ୍ଥାନୀୟ ବାସନ୍ତୀ ମହାକୁଡ ନାମ୍ନୀ ଜଣେ ମହିଳା ୨୦୦୮ ମସିହାରୁ ଅଙ୍ଗନଓାଡି କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ଗତ ୩ମାସ ହେବ ତାଙ୍କର ମୃତ୍ୟୁ ଘଟିଛି ା ମୃତା ବାସନ୍ତୀଙ୍କ ୩ଝିଅ ଓ ଜଣେ ପୁଅ ଅଛନ୍ତି। ତାଙ୍କ ସ୍ବାମୀ ଅଭିରାମ ମହାକୁଡ ଦୀର୍ଘ ଦିନ ଧରି କ୍ୟାନସର ରୋଗରେ ପିଡିତ ଅଛନ୍ତି। ବାସନ୍ତୀଙ୍କର ଦେହାନ୍ତ ପରେ ପରିବାର ସଦସ୍ୟ ମାନେ ଦୁଇ ଓଳି ଖାଇବାକୁ ମଧ୍ୟ ପାଉନାହାନ୍ତି। ଏପରିସ୍ଥଳେ ପିଲାମାନଙ୍କର ପାଠପଢା ମଧ୍ୟ ବନ୍ଦ ହୋଇଯାଇଛି। ବାସନ୍ତୀଙ୍କ ମୃତ୍ୟୁ ହେବା ପରେ ଅଙ୍ଗନଓାଡି କର୍ମୀ ପଦବୀରେ ନିଯୁକ୍ତି ପାଇଁ ତାଙ୍କ ବଡ ଝିଅ ଗୀତାଞ୍ଜଳି ଯୋଡା ବ୍ଲକ ବିଡିଓ, ଚମ୍ପୁଆ ଉପଜିଲାପାଳ ଏବଂ କେନ୍ଦୁଝର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ା ତେବେ ବ୍ଲକ ପକ୍ଷରୁ ଏକ ସପ୍ତାହ ହେବ ଉକ୍ତ ଖାଲି ଥିବା ଅଙ୍ଗନଓାଡି କର୍ମୀ ପଦବୀ ପୂରଣ ନିମନ୍ତେ ଏକ ନୋଟିସ ହୋଇଥିଲା। ଏହି ନୋଟିସ୍‌ ଅନୁଯାୟୀ ତାଙ୍କ ଝିଅ ଗୀତାଞ୍ଜଳି ଆବେଦନ କରିଥିଲେ। ଅନ୍ୟ ପିଲା ମଧ୍ୟ ପକାଇଛନ୍ତି। ତେବେ ଗ୍ରାମବାସୀ ଉକ୍ତ ପଦବୀରେ ଗୀତାଞ୍ଜଳି ମହାକୁଡଙ୍କୁ ଅଗ୍ରାଧିକାର ଭିତିରେ ଚୟନ କରିବା ପାଇଁ ଏହି ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିବା ଗ୍ରାମର ମହିଳାମାନେ କହିଛନ୍ତି।