ଜିଲାପାଳଙ୍କୁ ନିର୍ଦ୍ଦେଶ: ଡିଏମ୍‌ଏଫ୍‌ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ କର

ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ(ଡିଏମ୍‌ଏଫ୍‌) ଏବଂ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓମ୍ବାଡକ) ଅର୍ଥରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଜିଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଗୁରୁବାର ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ସଚିବ ପ୍ରଦୀପ ଜେନା ସମସ୍ତ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇ ଦେଇଛନ୍ତି। ଖଣି ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ଓ କୋଠା ନିର୍ମାଣ କାର୍ଯ୍ୟ କରାଯାଉଛି। କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି(ସିଇସି) ଖଣିଜ ସମ୍ପଦ ଜିଲାଗୁଡ଼ିକରେ ଡିଏମ୍‌ଏଫ ଏବଂ ଓମ୍ବାଡକ ପ୍ରକଳ୍ପଗୁଡ଼ିକ ବୁଲି ଦେଖୁଛନ୍ତି। ପ୍ରକଳ୍ପଗୁଡ଼ିକର ସ୍ଥିତି କ’ଣ, କେଉଁ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି, ଏ ବାବଦରେ କେତେ ଖର୍ଚ୍ଚ ହୋଇଛି ସେସବୁର ସମସ୍ତ ତଥ୍ୟ ସିଇସି ସଂଗ୍ରହ କରିବେ। ଗସ୍ତ ପରେ କମିଟି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବ।
ଯଥାସମ୍ଭବ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଅଧିକ ସମୟ କିମ୍ବା ପ୍ରକଳ୍ପର ମୂଲ୍ୟ ବୃଦ୍ଧି କରିବାର କୌଣସି ସମ୍ଭାବନା ନାହିଁ। ଏହାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି। ପ୍ରକଳ୍ପଗୁଡିକୁ ଜମି ହସ୍ତାନ୍ତର ହୋଇ ନ ଥିଲେ କୌଣସି ଟେଣ୍ଡର କିମ୍ବା ଠିକାଦାରଙ୍କୁ କାର୍ଯ୍ୟାଦେଶ ନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଜିଲାପାଳମାନେ ଏହାକୁ ବ୍ୟକ୍ତିଗତ ଭାବେ ଦେଖିବା ସହ ପ୍ରକଳ୍ପ ପାଇଁ ଜମି ଚିହ୍ନଟ କରି ବଜେଟ ପ୍ରସ୍ତୁତ କରିବା ପୂର୍ବରୁ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି।

Share