Categories: ଗଞ୍ଜାମ

ଜିଲାପାଳଙ୍କୁ ଭେଟିଲା ମିଳିତ ସଙ୍ଗଠନ କମିଟି

ଛତ୍ରପୁର,୬। ୭(ଡି.ଏନ.ଏ)-ଛତ୍ରପୁରର ବିଭିନ୍ନ ସଂଗଠନକୁ ନେଇ ଗଠିତ କମିଟିର ଏକ ପ୍ରତିନିଧି ଦଳ ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାରେ ବିଳମ୍ବ ଓ ଅନ୍ୟାନ୍ୟ ସମସ୍ୟା ନେଇ ଶନିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ପାଇଁ ଅନସ୍ଲୋ ହାଇସ୍କୁଲର ଏକ କୋଠା ଦିଆଯିବ ବୋଲି ରାଜ୍ୟ ସରକାର ଅନୁମତି ଦେଇସାରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନକୁ ଏହା ହସ୍ତାନ୍ତର ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତ ରହିଛି। ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଆବଶ୍ୟକ ୧୦ ଏକର ଜମି ଆର୍ଯ୍ୟପଲ୍ଲୀ ନିକଟରେ ଚିହ୍ନଟ ହୋଇସାରିଛି ବୋଲି ଜିଲାପାଳ ଉକ୍ତ ପ୍ରତିନିଧି ଦଳକୁ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଅପରାହ୍ନରେ ଏ ସମ୍ପର୍କରେ କଥା ହୋଇଥିବା ଜିଲାପାଳ କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର କର୍ତ୍ତୃପକ୍ଷଙ୍କୁ ଭେଟି ଏ ସମ୍ପର୍କରେ ଜଣାଇବାକୁ ପ୍ରତିନିଧି ଦଳକୁ ଜିଲାପାଳ ପରାମର୍ଶ ଦେଇଥିଲେ। ପ୍ରତିନିଧି ଦଳ ପକ୍ଷରୁ ଏ ନେଇ ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ପ୍ରିନ୍ସପାଲଙ୍କ ସହ ମୋବାଇଲ ଫୋନରେ ଯୋଗାଯୋଗ କରାଯାଇଥିଲା। ସୋମବାର ଅପରାହ୍ନରେ ଛତ୍ରପୁର ଆସି ଆଲୋଚନା କରିବା ସହ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସୂଚନା ଦେବେ ବୋଲି ପ୍ରିନ୍ସପାଲ କହିଛନ୍ତି। ସେହିପରି ଛତ୍ରପୁର ହସ୍ପିଟାଲରେ ଡାକ୍ତର ଅଭାବ ଥିବା ଏବଂ ରୋଗୀ ସେବାରେ ଉନ୍ନତି ଆଣିବା, ଛତ୍ରପୁର ଲୋୟର ବସଷ୍ଟାଣ୍ଡକୁ ବସ ଆସିବା ପାଇଁ ଅନୁମତି ଦେବାକୁ ଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲା। ଅନ୍ୟାନ୍ୟ ସମସ୍ତ ସମସ୍ୟା ସମ୍ପର୍କରେ ଲିଖିତ ଭାବେ ଜଣାନ୍ତୁ। ଏହା ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ । ଛତ୍ରପୁର ଓକିଲ ସଂଘର ସଭାପତି କେ. ଶିବରାମ ରେଡ୍ଡୀ, ଛତ୍ରପୁର ନାଗରିକ କମିଟି ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ସମ୍ପାଦକ ସୁଧୀର ସାହୁ, ଓକିଲ ପ୍ରଦୀପ ପାଢୀ, ବି. ଶ୍ରୀନିବାସ, ବଡ ବଜାର ବ୍ୟବସାୟୀ ସଂଘ ସଭାପତି ପ୍ରଫୁଲ୍ଲ ସେନାପତି, ରାଜେନ୍ଦ୍ର ସେନାପତି, ପୂର୍ବତନ କାଉନସିଲର ବୁଲୁ ବେହେରା ଓ ବାଦଲ ପାଣ୍ଡି, ଜିଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ ପଣ୍ଡା, ଓକିଲ ଭୈରବ ପଟ୍ଟନାୟକ, ଶିବ ପ୍ରସାଦ ସାହୁ ପ୍ରମୁଖ ଜିଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ । ଆଲୋଚନା ବେଳେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଉପସ୍ଥିତ ଥିଲେ ।