ଜିଲାପାଳଙ୍କୁ ଭେଟିଲେ ଠକେଇର ଶିକାର ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୨୧ା୬- ଭୁବନେଶ୍ୱରରେ ଏକ ଶିକ୍ଷା ଅନୁଷ୍ଠାନରେ ମାଗଣା ପଢ଼ିବା, ରହିବା, ଖାଇବା ଇତ୍ୟାଦି ପ୍ରଲୋଭନ ଦେଖାଇ କନ୍ଧମାଳର ଜଣେ ଯୁବକ ପାଖାପାଖି ୨୦ ଜଣ ଛାତ୍ରଙ୍କ ସାର୍ଟିଫିକେଟ ନେଇ ଯାଇଛନ୍ତି। ସେପଟେ ମିଥ୍ୟା ଆଡମିଶନ କରାଇ ପଢ଼ିବାକୁ ହେଲେ ମାସକୁ ୨୦ହଜାର ଟଙ୍କା ଦାବି କରିଛନ୍ତି ା ଯଦି କେହି ନ ପଢ଼ି ସାର୍ଟିଫିକେଟ ନେବ ତାହାଲେ ୧୦ ହଜାର ଦେବାକୁ ପଡିବ ବୋଲି ସମ୍ପୃକ୍ତ ଯୁବକ ଜଣକ ଛାତ୍ରମାନଙ୍କୁ କହିଛନ୍ତି। କଥା ଥାନା ପର୍ଯ୍ୟନ୍ତ ଯାଇଛି ା ପୋଲିସ ଉପସ୍ଥିତିରେ ସମ୍ପୃକ୍ତ ଯୁବକ ଜଣକ ନିର୍ଦ୍ଦିଷ୍ଟ ତାରିଖରେ ସାର୍ଟିଫିକେଟ ଫେରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ହେଲେ ଫେରାଉ ନାହାନ୍ତି ା ଏହାର ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ଠକେଇର ଶିକାର ହୋଇଥିବା ଛାତ୍ରୀଛାତ୍ରମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ା ସେମାନେ କିପରି ସାର୍ଟିଫିକେଟ ଫେରି ପାଇବେ ସେ ନେଇ ପଦକ୍ଷେପ ନେବା ସହ ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅପରପକ୍ଷେ ସାର୍ଟିଫିକେଟ ପାଇ ନ ଥିବାରୁ ଛାତ୍ରମାନଙ୍କ ଗୋଟିଏ ବର୍ଷ ବେକାର ହୋଇଯାଇଛି ା ଯାହାକୁ ନେଇ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ା ଟିକାବାଲି ବ୍ଲକ ସାରଙ୍ଗଡ ଥାନା ଗୁଟିଙ୍ଗିଆ ପଞ୍ଚାୟତ ଡାମିଗୁଡା ଗ୍ରାମର କେଶବ ପ୍ରଧାନ ଭୁବନେଶ୍ୱରର ଏକ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ପଢ଼ିବା ପାଇଁ କ.ନୂଆଗଁା, ରାଇକିଆ, ଟିକାବାଲି, ସାରଙ୍ଗଡ ଓ ଫିରିଙ୍ଗିଆ ଆଦି ବ୍ଲକର ଗରିବ ଛାତ୍ରୀଛାତ୍ରଙ୍କୁ ଲୋଭ ଦେଖାଇଥିଲେ। ଆଡମିଶନ ପାଇଁ ଅରିଜିନାଲ ସାର୍ଟିଫିକେଟ ନେଇଥିଲେ। ଭେରିଫିକେଶନ ପରେ ୩ ଦିନ ମଧ୍ୟରେ ଫେରାଇ ଦେବେ ବୋଲି କହିଥିଲେ। ଆଡମିଶନ ହେବ କହି ପିଲାମାନଙ୍କୁ ୨୦୧୮ ଅଗଷ୍ଟ ୯ରେ ଭୁବନେଶ୍ୱର ନେଇଥିଲେ। ସେଠାରେ ପିଲାମାନଙ୍କୁ ପଢ଼ିବାକୁ ହେଲେ ମାସକୁ ୨୦୦୦ ଟଙ୍କା ଦେବାକୁ ପଡିବ, ତୁମେ ଲେବର କାର୍ଡ ଦେବ ା ସେହି କାର୍ଡରୁ ତୁମ ପାସ୍‌ବୁକ୍‌କୁ ଟଙ୍କା ଛଡାଯିବ ା ସେ ଟଙ୍କା ଉଠାଇ ଆମକୁ ଦେବେ ବୋଲି କହିବାରୁ ଛାତ୍ରୀଛାତ୍ରମାନେ ଠକାମୀର ଶୀକାର ହୋଇଥିବା ଜାଣି ଫେରି ଆସିବା ସହ ଅରିଜିନାଲ ସାର୍ଟିଫିକେଟ ମାଗିଥିଲେ। ଏ ନେଇ ସାରଙ୍ଗଡ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ପଚାରା ଉଚରା କରିଥିଲେ। କେଶବ ସମସ୍ତଙ୍କ ସମ୍ମୁଖରେ ଜାନୁୟାରୀ ୩୦ ସୁଦ୍ଧା ସାର୍ଟିଫିକେଟ ଦେବା ପାଇଁ କହିଥିଲେ। ମାତ୍ର ଏବେ ଏଥିପାଇଁ ୧୦ ହଜାର ଟଙ୍କା ଦାବି କରୁଥିବା ଛାତ୍ର ମୋତିଲାଲ ପ୍ରଧାନ, ବିକାଶ ବିନ୍ଧାଣୀ, ବାପିନା ପ୍ରଧାନ, ଆଲୋକ ପ୍ରଧାନଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି ା ଏ ନେଇ କେଶବ ପ୍ରଧାନଙ୍କୁ ୯୪୩୯୫୬୮୬୫୪ରେ ଯୋଗାଯୋଗ କରିଥିଲେ ହେଁ ସେ କୌଣସି ଉତ୍ତର ଦେଇ ନ ଥିଲେ।

Share