ଜିଲାପାଳଙ୍କ ଅଚାନକ ଖରିଆରରୋଡ ହସ୍ପିଟାଲ ପରିଦର୍ଶନ

ନୂଆପଡା ଅଫିସ,୩୧ା୮ – ନୂଆପଡା ଭଳି ଉପାନ୍ତ ଜିଲାରେ ସ୍ବାସ୍ଥ୍ୟ ସମସ୍ୟା ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି । ଏହାକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଥିଲେ ମଧ୍ୟ ତତକାଳୀନ ଅଧିକାରୀମାନେ କୌଣସି ଦୃଷ୍ଟି ଦେଇନାହାନ୍ତି। ହେଲେ ନୂତନ ଜିଲାପାଳ ମଧୁସ୍ମିତା ସାହୁ ଗୋଟିଏ ପାଦ ଆଗକୁ ଆସି ଅଚାନକ ଭାବେ ଭିନ୍ନ ଭିନ୍ନ ହସ୍ପିଟାଲ ବୁଲି ସମସ୍ୟା ପରଖୁଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସନ୍ଧ୍ୟାରେ ଅଚାନକ ଭାବେ ଖରିଆରରୋଡ ହସ୍ପଟାଲ ଗସ୍ତ କରି ସବୁ ବୁଲି ଦେଖିଛନ୍ତି। ରୋଗୀଙ୍କୁ ଠିକ ଭାବେ ଚିକିତ୍ସାସେବା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିବାବେଳେ ହସ୍ପିଟାଲର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।
ଜିଲା ସଦର ମହକୁମାଠାରୁ ମାତ୍ର ୧୦ କି.ମି. ଦୂର ଖରିଆରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଜିଳାପାଳ ମଧୁସ୍ମିତା ସାହୁ ସାଢେ ୬ଟାରେ ଯାଇ ପହଞ୍ଚତ୍ଥିଲେ। ହସ୍ପିଟାଲର ବିଭିନ୍ନ ୱାର୍ଡକୁ ବୁଲି ଦେଖିଥିଲେ। ନିକଟରେ ଥିବା ମା’ ଗୃହକୁ ବୁଲି ଦେଖିଥିଲେ। ସେଠାରେ ଗର୍ଭବତୀଙ୍କୁ କିପରି ସ୍ବାସ୍ଥ୍ୟ ସେବା ମିଳୁଛି ସେ ଉପରେ ପଚାରି ବୁଝିଥିଲେ। ଜିଲାର ଉପାନ୍ତ ଗାଁଗୁଡ଼ିକରୁ ଯେପରି ସମସ୍ତ ଗର୍ଭବତୀ ଏଠାରେ ଆସି ଚିକିତ୍ସା ସେବା ଯେମିତି ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ମା’ ଗୃହରେ ପ୍ରତିମାସ ଅନ୍ତତଃ ୨୦ ଜଣ ମା’ଙ୍କୁ ଚିକିତ୍ସା ସେବା ନିଶ୍ଚିତ କରିବାକୁ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଦିନକୁ ଦିନ ମାତୃ ଏବଂ ଶିଶୁ ମୃତ୍ୟୁହାର ବଢୁଥିବାରୁ ଆନୁଷ୍ଠାନିକ ପ୍ରସୂତୀ ଉପରେ ଗୁରୁତ୍ୱ ଦେବାକୁ ଜିଲାପାଳ ସାହୁ କହିଥିଲେ। ପ୍ରସୂତୀମାନେ ଶିଶୁ ଜନ୍ମ କରିବା ପରେ ଅନ୍ତତଃ ୪୮ଘଣ୍ଟା ହସ୍ପିଟାଲରେ ରହିବାକୁ ଉତ୍ସାହିତ କରିବାକୁ କହିଥିଲେ। ଏହିଭଳି ବିଭିନ୍ନ ୱାର୍ଡକୁ ଯାଇ ରୋଗୀମାନଙ୍କର ସ୍ଥିତି ପଚାରି ବୁଝିଥିଲେ। କାଗଜାତ ଦେଖି ହସ୍ପିଟାଲ ଇନଚାର୍ଜ ଡା. ବୀରେନ୍ଦ୍ର କୁମାର ବାଗଙ୍କୁ ରୋଗୀ ସେବା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପରାମର୍ଶ କରିଥିଲେ । ଜିଲାପାଳଙ୍କ ପରିଦର୍ଶନ ବେଳେ ହସ୍ପିଟାଲରେ ନିୟୋଜିତ ବିଭିନ୍ନ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲାପାଳଙ୍କ ଗସ୍ତକୁ ବିଭିନ୍ନ ମହଲରେ ସ୍ବାଗତ କରିଥିବା ବେଳେ ଏହା ଯେହେତୁ ଜିଲା ତଥା ରାଜ୍ୟର ସୀମାନ୍ତବର୍ତ୍ତୀ ହସ୍ପିଟାଲ ହୋଇଥିବାରୁ ଶତାଧିକ ସଂଖ୍ୟରେ ରୋଗୀମାନେ ଆସି ଚିକିତ୍ସା ସେବା ପାଇଥାନ୍ତି । ହେଲେ ସେହି ଅନୁପାତରେ ଅଭିଜ୍ଞ ଡାକ୍ତର ନ ଥିବା ବେଳେ ଆବଶ୍ୟକ କର୍ମଚାରୀ, ଔଷଧ ଆଦି ମିଳୁ ନ ଥିବାରୁ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ବୋଲି ମତ ଦେଇଥିଲେ ।