Categories: ଯାଜପୁର

ଜିଲାପାଳଙ୍କ ଅଭିଯୋଗ ଶୁଣାଣି:୧୪୪ ଅଭିଯୋଗରୁ ୭୧ଟିର ତତ୍କାଳ ସମାଧାନ

ଯାଜପୁର ଟାଉନ,୧୧-୯(ଡି.ଏନ୍‌.ଏ.)- ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ସ୍ଥାନୀୟ ଜିଲାପରିଷଦ ସଭାଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ତେବେ କ୍ରମାଗତ ଛୁଟି, ବର୍ଷାଋତୁ ଓ ବିଶେଷ ପ୍ରଚାରପ୍ରସାର ନ ଥିବାରୁ ଏହି ଶିବିରରେ ଗତମାସ ଭଳି ବିଶେଷ ଭିଡ଼ ପରିଲ୍ଲକ୍ଷିତ ହୋଇ ନ ଥିଲା। ମାତ୍ର ୧୪୪ଟି ଅଭିଯୋଗ ହସ୍ତଗତ ହୋଇଥିବା ବେଳେ ସେଥିରୁ ୧୧୮ଟି ବ୍ୟକ୍ତିଗତ ଏବଂ ୬ଟି ସାମୁହିକ ଅଭିଯୋଗ ରହିଥିଲା। ୨୦ ଜଣ ଅସହାୟ ରୋଗୀ ଚିକିତ୍ସା ନିମନ୍ତେ ସହାୟତା ରାଶି ପାଇବା ପାଇଁ ଜିଲାପାଳଙ୍କ ନିକଟରେ ପହଞ୍ଚତ୍ଥିବାବେଳେ ଦାସ ମଧ୍ୟ ସେମାନଙ୍କୁ ଖାଲି ହାତରେ ଫେରାଇ ଦେଇ ନ ଥିଲେ। ଏହି ସବୁ ରୋଗୀଙ୍କୁ ମୋଟ ୧ଲକ୍ଷ ୪୬ହଜାର ଟଙ୍କା ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଛି। ସୂଚନାମୁତାବକ ୭୧ଗୋଟି ଅଭିଯୋଗର ତତ୍‌କ୍ଷଣାତ ସମାଧାନ କରାଯାଇଥିଲା। ଏସ୍‌ପି ଚରଣ ସିଂ ମୀନା ଏହି ଶିବିରରେ ଉପସ୍ଥିତ ରହିଥିବାବେଳେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ପ୍ରଜ୍ଞା ହୋତା, ତହସିଲଦାର ଅନୁପ କୁମାର ମେହେର, ଏସଡିପିଓ ରବିନ୍ଦ୍ର ଜେନା, ଜିଲା ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ରୁଦ୍ର ପ୍ରତାପ କର, ଜିଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ନିରଞ୍ଜନ କର, ଜିଲା କଲ୍ୟାଣ ଅଧିକାରୀ ଚେତନା ସେଠୀ, ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ରଜତ ପ୍ରହରାଜ, ଜିଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର ହୋତା, ଆରଡିର ନିର୍ବାହୀଯନ୍ତ୍ରୀ ବିଜୟ କୁମାର ମହାରଣାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ।