ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଭାଜପା ଯୁବମୋର୍ଚ୍ଚା

କେନ୍ଦୁଝର,୨୦।୨(ସ୍ବ.ପ୍ର.): ବେରୋଜଗାରରେ ଓଡ଼ିଶା ୧ ନମ୍ବର ପ୍ରସଙ୍ଗକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଗତ ୨୦ବର୍ଷ ହେଲା ସରକାର ରାଜ୍ୟରେ ରୋଜଗାର ସୃଷ୍ଟି ସହ ନିଯୁକ୍ତି ଦେବାରେ ବିଫଳ ହୋଇଥିବା ଯୁବନେତାମାନେ କହିଥିଲେ। କେନ୍ଦୁଝର ଜିଲାରେ ଖଣି, ପାଣିକୁ କମ୍ପାନୀମାନେ ଲୁଟ୍‌ କରୁଥିଲେ ହେଁ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ମିଳୁନାହିଁ। କେବଳ ଧୂଳିଧୂଆଁ ପ୍ରଦୂଷଣ ମିଳୁଛି । ଫଳରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଏସବୁ ସମସ୍ୟା ନେଇ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ହେମ ରଞ୍ଜନ ବାରିକ, ପ୍ରକାଶ ମଲ୍ଲିକ, ବ୍ରଜକିଶୋର ରାୟ ପ୍ରମୁଖ ସାମିଲ ଥିଲେ।