କୋକସରା,୧୦ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ୍ କାର୍ଯ୍ୟାଳୟଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। କୋକସରା ବିଡିଓ ଡ. ହିମାଞ୍ଚଳ ମାଝୀଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ, ଜିଲା ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡା, ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା, ଜିଲା ପରିଷଦ କାର୍ଯ୍ୟାଳୟ ଅଧିକାରୀ ସିଡିଓ ଦୟାମୟ ପାଢ଼ୀ, କୋକସରା ତହସିଲଦାର କ୍ଷୀରୋଧ ନାଗ, ବ୍ଲକ୍ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଶିବିରରେ ବ୍ଲକ୍ର ୨୨ ପଞ୍ଚାୟତରୁ ୫୪ ଜଣ ହିତାଧିକାରୀ ଜିଲାପାଳଙ୍କୁ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଜିଲାପାଳ ଓ ଅନ୍ୟ ଅଧିକାରୀ ଅଭିଯୋଗ ଶୁଣିବା ସହ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସଚେତନ ନାଗରିକ ମଞ୍ଚ ପକ୍ଷରୁ କୋକସରାଠାରେ ପ୍ରସ୍ତାବିତ ନୂତନ ବସ୍ଷ୍ଟାଣ୍ଡ ନିର୍ମାଣ କରିବା, କୋକସରା ମିନି ଷ୍ଟାଡିୟମ ପାଇଁ ଜମି ଆବଣ୍ଟନ, ପ୍ରସ୍ତାବିତ ଆଦର୍ଶ ଶ୍ମଶାନ ନିର୍ମାଣରେ ଜମି ଆବଣ୍ଟନ ତୁରନ୍ତ ଫଇସଲା ପାଇଁ ଦାବି କରାଯାଇଥିଲା। ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ଠିକାସଂସ୍ଥା ରାସ୍ତାକଡ଼ରେ କାର୍ଯ୍ୟ ପରେ ମରାମତି ନ କରିବା ଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହେଉଥିବା ଭଳି ଅଭିଯୋଗ ଆସିଥିଲା। କାର୍ଯ୍ୟକ୍ରମ ପରଚାଳନାରେ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ବେହେରା, ଅଜୟ ସେନାପତିଙ୍କ ସମେତ ବ୍ଲକ୍ କର୍ମଚାରୀ ସହଯୋଗ କରିଥିଲେ।


