ଜିଲାପାଳଙ୍କ ଶୁଣାଣିକୁ ବିରୋଧ: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଜନପ୍ରତିନିଧି

ବୌଦ୍ଧ,୨୭।୧(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ସମସ୍ତ ପଞ୍ଚାୟତର ଜନପ୍ରତିନିଧି ସୋମବାର ଜିଲାପାଳଙ୍କ ଜନଶୁଣାଣିକୁ ବିରୋଧ କରିଛନ୍ତି। ତଳଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଜନଶୁଣାଣି ହେବାର ଥିଲା। ମାତ୍ର ୯ ନଂ ଜୋନ୍‌ର ଜିଲା ପରିଷଦ ସଭ୍ୟ ଅବକାଶ ସାହୁଙ୍କ ସମେତ ଅନ୍ୟ ଜନପ୍ରତିନିଧିମାନେ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଜନଶୁଣାଣି ହେବ ନାହିଁ ବୋଲି ତାଲା ପକାଇ ଦେଇଥିଲେ। କିନ୍ତୁ ଜିଲାପାଳ ଓ ଅନ୍ୟ ପଦାଧିକାରୀ ଘଟଣାସ୍ଥଳରେ ପହଞ୍ଚି ପୋଲିସ ସହାୟତାରେ ଆନ୍ଦୋଳନକାରୀ ଜିଲା ପରିଷଦ ସଭ୍ୟ ଓ ସମିତିସଭ୍ୟମାନଙ୍କୁ ଅଟକ ରଖିବା ପରେ ଜିଲାପାଳ ଜନଶୁଣାଣି କାର୍ଯ୍ୟ ଆରମ୍ଭ କରିଥିଲେ।
ସୂଚନାଯୋଗ୍ୟ, ଗତ ୨୦ ତାରିଖରୁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ବ୍ଲକ ଅଧ୍ୟକ୍ଷଙ୍କ ନେତୃତ୍ୱରେ ସମସ୍ତ ପଞ୍ଚାୟତର ଜନପ୍ରତିନିଧି ଏହି ଆନ୍ଦୋଳନ କରିଆସୁଛନ୍ତି।