ଜିଲାରେ ଅସୁରକ୍ଷିତ ନାବାଳିକା,୩ବର୍ଷରେ ବଳାତ୍କାରର ଶିକାର ହୋଇଛନ୍ତି ୩୬୮

ଯାଜପୁର ଟାଉନ,୧୭।୯(ଡିଏନଏ)- ଯାଜପୁର ଜିଲାରେ ନାବାଳିକାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ନାବାଳିକାଙ୍କ ପାଇଁ ଉଭୟ ସରକାରୀ ଓ ବେସରକାରୀସ୍ତରରେ ଯେତେ ଆଇନ୍‌ ଓ ସଚେତନତା କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ବଳାତ୍କାର କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଫଳରେ ଯାଜପୁର ଜିଲାରେ ନାବାଳିକାମାନେ ଅସୁରକ୍ଷିତ ମଣୁଥିବା ଜଣାଯାଇଛି। ସାଧାରଣ ଲୋକେ ସଚେତନ ହେବା ସହ ସାକ୍ଷରତାର ହାର ମଧ୍ୟ ଆଶାନୁରୂପ ଭାବେ ବୃଦ୍ଧି ପାଉଥିବା ସରକାରୀ ତଥ୍ୟରୁ ଜଣାପଡିଛି। ମାତ୍ର ଲୋକଙ୍କ ମାନସିକତା ପରିବର୍ତ୍ତନ ହେଉ ନ ଥିବାରୁ ନାବାଳିକା ବଳାତ୍କାର ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ ୩ବର୍ଷ ମଧ୍ୟରେ ରିପୋର୍ଟକୁ ଅନୁଧ୍ୟାନ କଲେ ଏହା ସହଜେ ଅନୁମେୟ। ୨୦୧୭ରେ ୧୧୪, ୨୦୧୮ରେ ୧୪୭ ଓ ୨୦୧୯ ଅଗଷ୍ଟ ସୁଦ୍ଧା ୧୦୭ ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଥାନାରେ ପଞ୍ଜୀକୃତ ହୋଇଛି। ଯାଜପୁର ପୋକ୍ସୋ କୋର୍ଟରେ ଏଯାବତ୍‌ ୭୧୦ଟି ମାମଲା ବିଚାରଧୀନ ରହିଛି। ରିପୋର୍ଟରୁ ଜଣାଯାଏ ଯେ, ନାବାଳିକାମାନେ ବିଶେଷ କରି ସେମାନଙ୍କ ସମ୍ପର୍କୀୟଙ୍କ ଦ୍ୱାରା ବଳାତ୍କାରର ଶିକାର ହେଉଛନ୍ତି। ଏହା ସହିତ ଅବାଧ ନିଶାଦ୍ରବ୍ୟ ପ୍ରଚଳନ ମଧ୍ୟ ଏହାର ଅନ୍ୟତମ କାରଣ ବୋଲି ଜଣାପଡିଛି। ଯାଜପୁର ଜିଲା ସୁକିନ୍ଦା ଥାନା ଅଞ୍ଚଳରେ ଅଧିକ ନାବାଳିକା ବଳାତ୍କାର ଘଟଣା ଘଟୁଥିବା ଜଣାପଡିଛି। ଏହି ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ବ୍ୟାପକ ନିଶାଦ୍ରବ୍ୟ ଓ ସଚେତନତା ଅଭାବରୁ ଏହିସବୁ ଘଟଣା ଘଟୁଥିବା ନଜରକୁ ଆସିଛି। ଅନେକ କ୍ଷେତ୍ରରେ ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତମାନେ ନିଦ୍ଦର୍‌ବନ୍ଦରେ ଖଲାସ ହୋଇଯାଉଥିବାରୁ ଏଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଆଜି ବି ପୋଲିସର ମାନସିକତାରେ କୌଣସି ପରିବର୍ତ୍ତନ ଘଟିନାହିଁ। ଘଟଣା ଉପରେ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାର ଓ ପୋଲିସ ପଦାଧିକାରୀମାନେ କହୁଥିବାବେଳେ ପୋଲିସର ମନ୍ଥରତା ଏବଂ ରାଜନୈତିକ ହସ୍ତକ୍ଷେପ ଯୋଗୁ ଅଭିଯୁକ୍ତମାନେ ଖସିଯାଉଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି। ପୋଲିସ ଅଭିଯୋଗକାରୀଙ୍କୁ ଦୋଷ ଦେଇ ଖସି ଯାଉଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି। ବଳାତ୍କାର ହେଉଥିବା ନାବାଳିକା କିମ୍ବା ସେମାନଙ୍କ ଅବିଭାବକମାନେ କୋର୍ଟରେ ମାମଲା ଚାଲିଲାବେଳେ ଘଟଣାକୁ ମନା କରିଦେଉଥିବା ପୋଲିସ ଅଭିଯୋଗ କରୁଛି। ଅପରପକ୍ଷରେ ପୋଲିସ ମାସ ମାସ ଧରି ଚାର୍ଜସିଟ୍‌ ନ ଦେବାରୁ ଅଭିଯୁକ୍ତମାନେ ଯେନେତେନେ ପ୍ରକାରେ ମାମଲାକୁ ରଫାଦଫା କରିଦେବାକୁ ସୁଯୋଗ ପାଉଛନ୍ତି। ଫଳରେ ବଳାତ୍କାରୀମାନେ ବିଚାରାଳୟରୁ ନିର୍ଦ୍ଦୋଶରେ ଖଲାସ ହୋଇଯାଉଛନ୍ତି। କେତେକ ସ୍ଥାନରେ ଗ୍ରାମବାସୀମାନେ ନାବାଳିକା ବଳାତ୍କାର ଘଟଣାର ଫଇସଲା କରି କୋର୍ଟରେ ଅଭିଯୁକ୍ତଙ୍କୁ ଖଲାସ କରିଦେଉଛନ୍ତି। ଫଳରେ ବଳାତ୍କାର ଘଟଣା ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଅପରପକ୍ଷରେ ରାଜ୍ୟ ସରକାର ନାବାଳିକା ବଳାତ୍କାର ଘଟଣାକୁ ଗୁରୁତରଭାବେ ନେଉଥିବାବେଳେ ଦୃଷ୍ଟାନ୍ତମୂଳକ ଶାସ୍ତି ବାରମ୍ବାର ନ ହେଲେ ଏଭଳି ଘଟଣା କମିବାର ନାଁ ଧରିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।