‘ଜିଲାରେ ହେଉ କୋଭିଡ୍‌ ପରୀକ୍ଷଣ କେନ୍ଦ୍ର’

ବାଲେଶ୍ୱର ଅଫିସ, ୪।୫: ରାଜ୍ୟର ୩ ଜିଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ କରୋନା ହଟ୍‌ସ୍ପଟ ଘୋଷଣା କରାଯାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁ ଥିବା ବେଳେ ପ୍ରବାସୀ ଓଡ଼ିଆଙ୍କ ଆଗମନ ସ୍ଥିତିକୁ ଆହୁରି ସଙ୍ଗୀନ କରିପାରେ ବୋଲି ଆଶଙ୍କା କରାଯାଉଛି। ସାରା ଓଡ଼ିଶାରେ ମାତ୍ର ୨ଟି କୋଭିଡ଼ ଟେଷ୍ଟିଂ ଲ୍ୟାବ୍‌ ରହିଛି। ଏବେ ଏହି ଅଞ୍ଚଳର ସ୍ବାବ ସାମ୍ପଲ ଭୁବନେଶ୍ୱର କିମ୍ବା କଟକ ପଠାଯାଉ ଥିବା ବେଳେ ଏହାର ରିପୋର୍ଟ ଆସିବାକୁ ବିଳମ୍ବ ହେଉଛି। ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱରରେ କୋଭିଡ ପରୀକ୍ଷଣ କେନ୍ଦ୍ର କରାଯିବା ଲାଗି ସୋମବାର ଭାରତୀୟ ଜନତା ଯୁବମୋର୍ଚ୍ଚାର ଏକ ଜିଲାସ୍ତରୀୟ ପ୍ରତିନିଧି ମଣ୍ଡଳୀ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ଦାବି ଜଣାଇଛି। ଏହି ପ୍ରତିନିଧି ମଣ୍ଡଳୀରେ ଯୁବମୋର୍ଚ୍ଚାର ରାଜ୍ୟ ଉପସଭାପତି ଚନ୍ଦ୍ରଶେଖର ନନ୍ଦ, ଜିଲାସଭାପତି ସମର ଶଙ୍କର କାନୁନ୍‌ଗୋ, ରାଜ୍ୟ ସଂଯୋଜକ ପ୍ରବୀର ଶଙ୍କର ଦାଶ, ଜିଲା ଉପସଭାପତି ରଞ୍ଜିତ ପ୍ରଧାନ, ବିକାଶ ପାଢ଼ୀ, ନଗର ସଭାପତି ଧୀରଜ ମହାନ୍ତି, ବିଧାନସଭା ସଂଯୋଜକ ଅରୂପ ଜେନା, ସ୍ବାଧୀନ ବିଜୟ ପଣ୍ଡା, ଉତ୍ତମ ଦାସ, ସୁବୋଧ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ୧୦ଦିନ ମଧ୍ୟରେ ଏହାକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଜଣାଇଥିଲେ। ଦାବିପତ୍ରର ନକଲ ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ଥାନୀୟ ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିକଟକୁ ପଠାଯାଇଛି।