ନୂଆପଡା ଅଫିସ, ୩୦ା୯: ପ୍ରାଚୀନ ଆଶ୍ରମ ଶିକ୍ଷାପ୍ରଣାଳୀରେ ଶିକ୍ଷା ବ୍ୟବସ୍ଥାରେ କ୍ରୀଡ଼ା ଯୋଡି ହୋଇଯାଇଥିଲା । ଏହା ବର୍ତ୍ତମାନ ମଧ୍ୟ ଚାଲିଛି । ଏହା ଦ୍ୱାରା ଶିକ୍ଷାର୍ଥୀଙ୍କର ଶାରୀରିକ ଏବଂ ମାନସିକସ୍ତରରେ ବିକାଶ ହୋଇଥାଏ । ତେଣୁ ବିଦ୍ୟାଳୟ ପାଠ୍ୟକ୍ରମରେ ଖେଳ ଏକ ଅଭିନ୍ନ ଅଙ୍ଗ ବୋଲି ମତପ୍ରକାଶ ପାଇଛି। ରବିବାର ସ୍ଥାନୀୟ ଖରିଆରରୋଡସ୍ଥିତ ନୋଡାଲ ହାଇସ୍କୁଲରେ ଅନୁଷ୍ଠିତ ଜିଲାସ୍ତରୀୟ କ୍ରିଡା ଉତ୍ସବରେ ଯୋଗଦେଇ ଅତିଥିମାନେ ଏହି ମତ ରଖିଛନ୍ତି ।
ପୂର୍ବାହ୍ନରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲା ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଭୋଇ ସଭାପତିତ୍ୱ କରିଥିବାବେଳେ ଜିଲାପାଳ ମଧୁସ୍ମିତା ସାହୁ ମୁଖ୍ୟଅତିଥି, ନୂଆପଡା ବ୍ଲକ ଶିକ୍ଷାଧିକାରୀ ଡ.ରେଶମଲାଲ ନାଏକ, ଜିଲା କ୍ରୀଡ଼ା ନିରୀକ୍ଷକ ମହେଶ କୁମାର ଦଣ୍ଡସେନା, ରାଜାଏଟି ହାଇସ୍କୁଲ ପ୍ରଧାନଶିକ୍ଷକ ନକୁଲ ଶବର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ଜିଲାପାଳ ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏଥିରେ ଉପସ୍ଥିତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ, ଛାତ୍ରୀଛାତ୍ରମାନଙ୍କୁ ସମ୍ବୋଧିତ କରି ଅତିଥିମାନେ ଶିକ୍ଷାବ୍ୟବସ୍ଥାରେ କ୍ରୀଡ଼ାର ଆବଶ୍ୟକତା ଏବଂ ଉପକାରୀତା ଉପରେ ଆଲୋକପାତ କରିଥିଲେ। ଏହାକୁ ସମସ୍ତେ ମିଶି ଠିକ ଭାବେ ପରିଚାଲନା କରିବାକୁ ଜିଲାପାଳ ପରାମର୍ଶ କରିଥିଲେ । ସୂଚନାଯୋଗ୍ୟ ଯେ, ଏଥିରେ ଜିଲାର ୫ଟି ବ୍ଲକରୁ ମୋଟ ୫୪୦ଜଣ ଛାତ୍ରୀଛାତ୍ର ଯୋଗଦେଇ ବିଭିନ୍ନ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ କବାଡି, ଫୁଟବଲ, ଖୋଖୋ, ଟାଏକୋଣ୍ଡୋ ଆଦି ଖେଳ ହୋଇଥିଲା। ଏହାକୁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ଶିକ୍ଷକମାନେ ପରିଚାଳନା କରିଥିଲେ। ପ୍ରଥମ ଦିନର କ୍ରୀଡ଼ାବିତମାନଙ୍କୁ ଜିଲାପାଳ ପୁରସ୍କୃତ କରିଥିଲେ। ଏହି ଖେଳ ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବ । ଶେଷରେ ଜିଲା ଶିକ୍ଷାଧିକାରୀ ଭୋଇ ଧନ୍ୟବାଦ ଦେଇଥିଲେ।