ଜିଲାସ୍ତରୀୟ ଛତୁଚାଷୀ ସମ୍ମିଳନୀ :ଚାଷୀଙ୍କୁ ନିୟମିତ ରୋଜଗାର ଦେବା ଲକ୍ଷ୍ୟ

ଓଡ଼ଗାଁ,୨୪ା୧୨(ସ୍ବ.ପ୍ର.): ସମ୍ପ୍ରତି ଛତୁ ଏକ ପ୍ରମୁଖ ଖାଦ୍ୟ ସାମଗ୍ରୀ ହିସାବରେ ସମସ୍ତଙ୍କ ଗ୍ରହଣୀୟ ହୋଇପାରିଛି ା ଦିନ ଥିଲା ଏହା କେବଳ ଋତୁ ଅନୁସାରେ ଉପଲବ୍ଧ ହେଉଥିଲା। ବର୍ତ୍ତମାନ ବୈଜ୍ଞାନିକ ପଦ୍ଧତି ଦ୍ୱାରା ଏହା ସବୁ ସମୟରେ ମିଳିପାରୁଛି ା ଛତୁ ଚାଷୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୋମବାର ସ୍ଥାନୀୟ ଖେଳପଡିଆ ସାହି ନିକଟରେ ଜିଲାସ୍ତରୀୟ ଛତୁଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜିଲା କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ସମ୍ମିଳନୀରେ କେନ୍ଦ୍ରର ବରିଷ୍ଠ ବିଶେଷଜ୍ଞ ଡ. ଅନୀଲ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ ା କୃଷି ବିଶେଷଜ୍ଞ ବିଜୟଲକ୍ଷ୍ମୀ ରାଉତ, ବ୍ଲକ ସହକାରୀ କୃଷି ଉଦ୍ୟାନ ଅଧିକାରୀ ଅଜିତ କୁମାର ନାୟକ, ଜିଲା ଜୀବିକା ମିଶନ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର, ବ୍ୟାଙ୍କ ଅଧିକାରୀ ଗୋପାଳ ଚନ୍ଦ୍ର ପ୍ରଧାନ, କେବିକେ ବିଶେଷଜ୍ଞ ଶୁଚିସ୍ମିତା ଦ୍ୱିବେଦୀ, ସହକାରୀ କୃଷି ଅଧିକାରୀ ମୀରା ରୋଜାଲିନ ଓ ବ୍ଲକ ଜୀବିକା ମିଶନ ଅଧିକାରୀ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କୁ ବୈଷୟିକ ପରାମର୍ଶ ଦେଇଥିଲେ ା ବର୍ଷର ସବୁ ସମୟରେ ସେମାନେ କିପରି ସପରିବାର ଛତୁ ଚାଷରେ ନିୟୋଜିତ ହୋଇ ରୋଜଗାରକ୍ଷମ ହୋଇପାରିବେ ସେ ନେଇ ଆଲୋଚନା କରିଥିଲେ। ଚାଷୀମାନେ ରାସ୍ତା ପାର୍ଶ୍ୱରେ ଛତା ତଳେ ବସି ଛତୁ ବିକ୍ରି କରୁଥିବା ବେଳେ ସେମାନଙ୍କୁ ଛାତ ତଳେ ବିକ୍ରି ସୁଯୋଗ ଦେବାକୁ ମତପ୍ରକାଶ ପାଇଥିଲା। ଏ ନେଇ ଅତିଥିମାନେ ଜିଲାପାଳଙ୍କ ସହିତ ଯୋଗାଯୋଗ କରି ସ୍ଥାନୀୟ କୃଷକ ବଜାରରେ ଖାଲିଥିବା ଦୋକାନ ଘର ଯୋଗାଇଦେବାକୁ ଚାଷୀମାନେ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ କେତେକ ସଫଳ ଛତୁ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା ା ସ୍ଥାନୀୟ ରଘୁନାଥ ଛତୁ ଛାଷ କେନ୍ଦ୍ର ସମ୍ପାଦକ ଗଣେଶ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share