ଜିଲାସ୍ତରୀୟ ନିଯୁକ୍ତି ମେଳାରେ ୮୧ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି

ବାଲେଶ୍ୱର ଅଫିସ, ୧୭।୧୦-ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ବାଲେଶ୍ୱର ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ବ୍ରିଟ୍‌ କଲ୍ୟାଣ ମଣ୍ଡପଠାରେ ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ପ୍ରଭୂତ ସୁଯୋଗ ରହିଥିବା ବେଳେ ସେଥିପାଇଁ ପରିବର୍ତ୍ତିତ ପରିସ୍ଥିତି ସହିତ ଖାପଖୁଆଇ ଯୁବତୀଯୁବକମାନେ ନୂତନ ଦକ୍ଷତା ହାସଲ କରିବା ସହ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ। ବିଭିନ୍ନ କାରଣରୁ ନିଜର ପାଠପଢ଼ା ସମ୍ପୂର୍ଣ୍ଣ କରିପାରି ନ ଥିବା ଯୁବତୀଯୁବକମାନଙ୍କୁ ମାଗଣାରେ ଦକ୍ଷତାଭିତ୍ତିକ ପ୍ରଶିକ୍ଷଣ ଓ ନିଯୁକ୍ତି ପ୍ରଦାନ ଲାଗି ଏହି ମେଳା ମାଧ୍ୟମରେ ଯେଉଁ ପ୍ରୟାସ କରାଯାଉଛି ତାହାର ଲାଭ ଉଠାଇବା ଲାଗି ଅତିରିକ୍ତ ଜିଲାପାଳ ନାୟକ ପରାମର୍ଶ ଦେଇଥିଲେ। ଜିଲା ନିୟୋଜନ ଅଧିକାରୀ ନିମାଇଁ ଚରଣ ମହାନ୍ତି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ବାଲେଶ୍ୱର ସରକାରୀ ଆଇଟିଆଇ ଅଧ୍ୟକ୍ଷ ଇଂ. କୃଷ୍ଣଚନ୍ଦ୍ର ରାଉତ ଯୋଗଦେଇ ନିଯୁକ୍ତି ମେଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ନିଯୁକ୍ତି ମେଳାରେ ଭାଗ ନେବାକୁ ଆସିଥିବା ପ୍ରାର୍ଥତ୍ନୀ ଓ ପ୍ରାର୍ଥୀମାନଙ୍କର ସଫଳତା ନିମନ୍ତେ ଅତିଥିମାନେ କାମନା କରିଥିଲେ।
ଗୁରୁବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ନିଯୁକ୍ତି ମେଳାରେ ଜିଲାର ୧୨ଟି ବ୍ଲକର ୫୦୨ଜଣ ଯୁବତୀଯୁବକ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ। ୮୧ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ୨୯୦ଜଣଙ୍କୁ ତାଲିମ ପରେ ନିଯୁକ୍ତି ଏହିପରି ଭାବେ ମୋଟ ୩୭୧ଜଣଙ୍କୁ ମନୋନୀତ କରାଯାଇଥିଲା। ମୋଟ ୪ଟି ପ୍ରତ୍ୟକ୍ଷ ନିଯୁକ୍ତିକାରୀ ସଂସ୍ଥା ଓ ୭ଟି ଟ୍ରେନିଂ ପାର୍ଟନର ଅଂଶଗ୍ରହଣ କରିଥିଲେ। ନିଯୁକ୍ତି ମେଳା ଲାଗି ଜିଲାର ସମସ୍ତ ବ୍ଲକ ସମେତ ଅନ୍ୟାନ୍ୟ ଅଞ୍ଚଳରେ ସଚେତନତା ସୃଷ୍ଟି କରାଯାଇଥିଲା। ନିଯୁକ୍ତି ମେଳା ପରିଚାଳନା ଏବଂ ଆଇନଶୃଙ୍ଖଳାକୁ ବ୍ୟବସ୍ଥିତ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିଲା। ଜିଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।