ଜିଲାସ୍ତରୀୟ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା,୩୧।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ ୟୁକୋ ପାର୍କଠାରେ ମାଲକାନଗିରି ବନଖଣ୍ଡ ଏବଂ ଚିତ୍ରକୋଣ୍ଡା ବନାଞ୍ଚଳ ପରିଚାଳନାରେ ଜିଲାସ୍ତରୀୟ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର-୨୦୨୦ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମୀରାସେଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବରେ ସହ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲାର ସମସ୍ତ ବନାଞ୍ଚଳ ଅଧିକାରୀ, ବନପାଳ ଓ ବନରକ୍ଷୀମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର କରାଯାଇଥିଲା। ଏଥିରେ ପକ୍ଷୀ ଗଣନା କରାଯିବା ପାଇଁ ବିଭିନ୍ନ କୌଶଳ, ସହଜ ଗଣିବା ପଦ୍ଧତି ଅବଲମ୍ବନ, ନୂଆ ପକ୍ଷୀଙ୍କ ସ୍ବତନ୍ତ୍ର ତାଲିକା ପ୍ରସ୍ତୁତ କରିବା ଭଳି ଭିନ୍ନ ଭିନ୍ନ ପ୍ରଶିକ୍ଷଣ ମାଧ୍ୟମରେ କୁହାଯାଇଥିଲା। ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଗଣନା ତଥା ପକ୍ଷୀଙ୍କୁ ପାୱାର ପଏଣ୍ଟରେ ଦେଖାଇ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଓ ଚିତ୍ରକୋଣ୍ଡା ବନପାଳ ମୃତ୍ୟୁଞ୍ଜୟ ସେଠୀ ପରିଚାଳନା କରିଥିଲେ।