ଜିଲାସ୍ତରୀୟ ଭିନ୍ନକ୍ଷମଙ୍କ କ୍ରୀଡ଼ା

ଭଦ୍ରକ ଅଫିସ,୨୭ା୧୧- ଜିଲା ପ୍ରଶାସନ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ବତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ପ୍ରତ୍ୟେକ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଭିନ୍ନକ୍ଷମ ଛାତ୍ରୀଛାତ୍ର ଏଥିରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କୁ ଜୁନିୟର ବାଳିକା ଓ ବାଳକ ଏବଂ ସିନିୟର ବାଳିକା ଓ ବାଳକ ବର୍ଗରେ ବିଭକ୍ତ କରାଯାଇ ୬ଟି ବିଭାଗରେ ୨୪ ପ୍ରକାର ପ୍ରତିଯୋଗିତା କରାଯାଇଥିଲା।
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଭାରପ୍ରାପ୍ତ ଜିଲାପାଳ ତଥା ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଏଭଳି କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କର ଶାରୀରିକ ଓ ମାନସିକ ବିକାଶ ହୋଇପାରିବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର କୁମାର ଦେହୁରୀ, ଜିଲା କ୍ରୀଡା ଅଧିକାରୀ ମନୋଜ କୁମାର ଦାସ, ସିଆର୍‌ଏସ୍‌ଆର ସଙ୍ଗଠନର ସମ୍ପାଦକ ଭଗବାନ ପରିଡ଼ା, ଅବସରପ୍ରାପ୍ତ ଜିଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ କୁମାର ରାୟ, ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଗଜେନ୍ଦ୍ର କୁମାର ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଜିଲାସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୩ ତାରିଖ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ପୁରସ୍କୃତ କରାଯିବ।