ଝିଅମାନେ କୌଣସି ଗୁଣରେ ପୁଅଙ୍କଠାରୁ କମ୍‌ ନୁହନ୍ତି

ଦିଗପହଣ୍ଡି,୨୦ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର କନ୍ୟାରତ୍ନ ସୁରକ୍ଷା ଉଦ୍ଦେଶ୍ୟରେ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗ୍ରାମରେ ଜିଲାସ୍ତରୀୟ ମୋ ଗେହ୍ଲା ଝିଅ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଆସିକା ଏମ୍‌ପି ପ୍ରମିଳା ବିଶୋୟୀ, ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡ. ବିଜୟ କୁମାର ପାଣିଗ୍ରାହୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ବିଡିଓ ହଳଧର ଶବର, ବ୍ଲକ ସହକାରୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଲେଙ୍କା, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ପାଢ଼ୀ, ଦିଗପହଣ୍ଡି ସିଡିପିଓ ଯଶୋବନ୍ତୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଗଞ୍ଜାମ ଜିଲାରେ ଝିଅମାନଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇଛି । ଜିଲା ପ୍ରଶାସନ ପକ୍ଷରୁ କନ୍ୟାରତ୍ନଙ୍କ ସୁରକ୍ଷା ପାଇଁ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଜିଲାପାଳ କହିଥିଲେ । ଝିଅମାନେ ପୁଅଙ୍କ ତୁଳନାରେ କୌଣସି ଗୁଣରେ କମ୍‌ ନୁହଁନ୍ତି ବୋଲି ସେ ପରାମର୍ଶ ଦେଇଥିଲେ। ଜିଲାପାଳ ରୁମାଲରେ କିଛି ଶିଶୁଙ୍କ ପାଦରେ ହଳଦୀ ଲଗାଇ ପାଦଚିହ୍ନ ସାଙ୍ଗରେ ନେବା ସହ କେକ୍‌ କାଟି ମା’ମାନଙ୍କୁ ପ୍ରଦାନ କରିଥିଲେ। ସଭା ପୂର୍ବରୁ ଅତିଥିବୃନ୍ଦ କନ୍ୟା ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଥିବା ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମରେ ପହଞ୍ଚତ୍ଥିଲେ। କନ୍ୟାସନ୍ତାନ ଓ ତାଙ୍କ ମା’ ମାନଙ୍କୁ ସମ୍ମାନିତ କରି ମିଷ୍ଟାନ୍ନ ବଣ୍ଟନ କରିବା ସହ ମାନପତ୍ର ଓ ପୁରସ୍କାର ବଣ୍ଟନ କରିଥିଲେ। ପୂର୍ବତନ ସରପଞ୍ଚ କେ. ସଞ୍ଜୀବ ରେଡ୍ଡୀ ଗ୍ରାମବାସୀଙ୍କ ପକ୍ଷରୁ ଅତିଥିବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅତିଥିବୃନ୍ଦ ଚାରା ବଣ୍ଟନ କରିଥିଲେ । ବି.ତୁରୁବୁଡ଼ି ଗ୍ରାମ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆୟୋଜିତ ସଚେତନତା ସଭାରେ ବିଭିନ୍ନ ଗ୍ରାମରୁ ଆସିଥିବା ୫୦ରୁ ଉର୍ଦ୍ଧ୍ୱ କନ୍ୟା ସନ୍ତାନ ମା’, ସ୍ବୟଂ ସହାୟକ ଗୋଷ୍ଠୀ, ସମସ୍ତ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ସରପଞ୍ଚ କୋରି ସେଠୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

Share