ଜିଲାସ୍ତରୀୟ ସ୍ବାଧୀନତା ଦିବସ : ପତାକା ଉତ୍ତୋଳନ କଲେ ଜିଲାପାଳ

ଛତ୍ରପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ପୋଲିସ ପଡ଼ିଆଠାରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଦେଶମାତୃକାର ସେବା କରି ନିଜର ଜୀବନକୁ ଉତ୍ସର୍ଗ କରିଥିବା ଶହୀଦଙ୍କୁ ସମସ୍ତେ ମନେ ପକାଇଥିଲେ। ଛତ୍ରପୁରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମୋଟ ୩୮ଟି ଦଳ ପରେଡ୍‌ରେ ଭାଗ ନେଇଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ, ଜିଲାପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲାପାଳ କବୀନ୍ଦ୍ର ସାହୁ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।