ଜିଲା ଆଇନସେବା ପ୍ରାଧିକରଣ କର୍ମଶାଳା

ଫୁଲବାଣୀ ଅଫିସ, ୩୦ା୧-ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଭିନ୍ନ ଦିନରେ ଭିନ୍ନ ବିଷୟରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସୋମବାର ଜିଲା ଆଇନ ସେବା ପ୍ରାଧିକରଣ ପରିସରରେ କିନ୍ନରମାନଙ୍କ ଅଧିକାର ନେଇ ଆଲୋଚନା ହୋଇଥିଲା। ସଦର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ରବୀନ୍ଦ୍ରନାଥ ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ସେମାନଙ୍କୁ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରାଯାଇଥିଲା। ମଙ୍ଗଳବାର ଜବାହାର ନବୋଦୟ ବିଦ୍ୟାଳୟ ଅଡିଟୋରିୟମରେ ଅଷ୍ଟମ ଏବଂ ନବମ ଶ୍ରେଣୀ ପିଲାଙ୍କୁ ମୌଳିକ କାର୍ଯ୍ୟ, ସାମ୍ବିଧାନିକ ସମ୍ପର୍କରେ ସଚେତନ କରାଯାଇଥିଲା। ସହକାରୀ ଜିଲାପାଳ ଜଗଦୀଶ ଷଡଙ୍ଗୀ, ପିପି ରଶ୍ମୀତା ମହାପାତ୍ର, ଜେଏନ୍‌ଭି ପ୍ରିନ୍ସପାଲ ଶ୍ରୀକାନ୍ତ ରଥ ଯୋଗଦେଇ ଆଲୋଚନା କରିଥିଲେ। ବୁଧବାର କେନ୍ଦ୍ରୀୟ ବିଦ୍ୟାଳୟ କନ୍‌ଫରେନ୍ସ ହଲରେ ମଧ୍ୟ ସାମ୍ବିଧାନିକ ଅଧିକାର ଏବଂ ଜନସାଧାରଣଙ୍କ କର୍ତ୍ତବ୍ୟ ଉପରେ ଆଲୋଚନା ହୋଇଥିଲା। ପ୍ରିନ୍ସିପାଲ ଶଙ୍କର୍ଷଣ ନାୟକ, ଆଇନଜୀବୀ ରାଜୀବ କୁମାର ପ୍ରଧାନ, ରଶ୍ମୀରଞ୍ଜନ ପଟ୍ଟନାୟକ, ଦେବରାଜ ସାହାଣୀ, କଲ୍ୟାଣୀ ସମ୍ପାଦକ ରବୀନ୍ଦ୍ର କୁମାର ସାହୁ ସଚେତନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଜିଲା ଆଇନସେବା ପ୍ରାଧିକରଣ ସମ୍ପାଦିକା ପାତଞ୍ଜଳୀ ସାହୁ ଅଧ୍ୟକ୍ଷତା କରିଥିଲେ।

Share