ଜିଲା ଚିକିତ୍ସାଳୟରୁ ୪ ଦଲାଲ ଗିରଫ

ଭଦ୍ରକ ଅଫିସ, ୨୭।୯- ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ରୋଗୀଙ୍କୁ ସରକାରୀ ସ୍ତରରେ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ମେଡିକାଲକୁ ଦଲାଲମୁକ୍ତ କରାଯିବ ବୋଲି ଘୋଷଣା କରାଯାଇଛି। ଏହି ଘୋଷଣା ହେବାର ପରଦିନ ଅର୍ଥାତ୍‌ ଗୁରୁବାର ଭଦ୍ରକ ଜିଲା ଚିକିତ୍ସାଳୟରୁ ଟାଉନ ଥାନା ପୋଲିସ ୪ ଦଲାଲଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୪ ଜଣ ଘରୋଇ ଔଷଧ ଦୋକାନୀଙ୍କ କର୍ମଚାରୀ ବୋଲି ଜଣାପଡ଼ିଛି। ସେମାନେ ହେଲେ ଅଣ୍ଡେଇପଲ୍ଲୀ ଗଁାର ପ୍ରଭାତ କୁମାର ସାହୁ, ଆଦମ୍‌ପୁରର ଅନନ୍ତ କୁମାର ନାୟକ, ବଳରାମପୁରର ବାବାଜୀ ଚରଣ ବାରିକ ଓ ଆର୍‌ଏନ୍‌ ବେତଡ଼ାର ହିମାଂଶୁ ନାୟକ। ସେମାନଙ୍କ ବିରୋଧରେ ଦଫା ୪୧୭, ୪୨୦ ଓ ୩୪ରେ ମାମଲା(ନଂ.୨୮୨/୧୯) ରୁଜୁ କରାଯାଇ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସରୋଜିନୀ ସିଂ ସୂଚନା ଦେଇଛନ୍ତି।