ହୋସିୟାରପୁର,୨୦।୭: ପଞ୍ଜାବ ହୋସିୟାରପୁର ଜିଲାର ନିର୍ବାଚନ ଅଧିକାରୀ ଲୋକଙ୍କ ସଚେତନତା ପାଇଁ ଲଗାଇଥିବା ଫ୍ଲେକ୍ସରେ ନିର୍ଭୟା ଗଣବଳାତ୍କାରୀଙ୍କ ଫଟୋକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋକୁ ନେଇ ଦାବି କରାଯାଇଛି କି ନିର୍ବାଚନ ଅଧିକାରୀ ଯେଉଁ ଫଟୋ ଲଗାଇଛନ୍ତି ତାହା ହେଉଛି ନିର୍ଭୟା ଗଣବଳାତ୍କାର ଅପରାଧୀ ମୁକେଶ ସିଂ। ଏହି ଫଟୋକୁ ନେଇ ନିର୍ବାଚନ କମିଶନ ତଦନ୍ତ ଆରମ୍ଭ କରିଥିବା ବେଳେ ଜିଲା ପ୍ରଶାସନ ଏହା ଉପରେ କିଛି କହିବାକୁ ମନା କରି ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଫଟୋ ଥିବା ଫ୍ଲେକ୍ସଟି ଲୋକ ସଭା ନିର୍ବାଚନ ପୂର୍ବରୁ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେଶନ କମ୍ପ୍ଲେକ୍ସର ଭିତରେ ଓ ବାହାରେ ବିଭିନ୍ନ ସ୍ଥାନରେ ଲାଗିଥିଲେ ମଧ୍ୟ କେହି ଏହାକୁ ନଜର କରି ନ ଥିଲେ। ହେଲେ ଗତ ଶୁକ୍ରବାର ସେଠାକୁ ଯାଇଥିବା ଜଣେ ବ୍ୟକ୍ତି ଏହି ଫ୍ଲେକ୍ସକୁ ଦେଖି ଟୁ୍ଇଟରରେ ଶେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଥିଲା।