ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଛକାପଞ୍ଝା

ଗୁଣପୁର,୧୫।୨(ଡି.ଏନ.ଏ)

ରାୟଗଡା ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ ା ଏଥିଲାଗି ବିଭିନ୍ନ ଦଳ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ହେଲେ ଏହି ନିର୍ବାଚନ ନିର୍ଦ୍ଧାରିତ ତାରିଖରେ ହେବ ନା ନାହିଁ ତାହାକୁ ନେଇ ସନ୍ଦିହାନ ପ୍ରକାଶ ପାଇଛି ା କାରଣ ଏହି ମାମଲା ଏବେ ହାଇକୋର୍ଟରେ ପହଁଞ୍ଚିଥିବା ଜଣାପଡିଛି। ଡିସେମ୍ବର ୨୪ ତାରିଖରେ ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ଏହି ପଦ ଖାଲି ରହିଛି। ଏବେ ଜିଲା ପରିଷଦ ଉପାଧ୍ୟକ୍ଷ ବୀଣାପାଣି ସାହୁକାର ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି ା ବର୍ତ୍ତମାନ ଅଧ୍ୟକ୍ଷ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ଭୋଟର ତାଲିକା ପ୍ରକାରେ କଂଗ୍ରେସର ଜିଲା ପରିଷଦ ସଂଖ୍ୟା ୧୦ ରହିଥିବାବେଳେ ବିଜେଡିର ୭ ଏବଂ ଭାଜପାର ୪ ଜଣ ରହିଛନ୍ତି ା ପଦ୍ମପୁର ‘ଖ’ ଜୋନ ଆସନ ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ଖାଲି ରହିଛି ା ଏହି ସ୍ଥାନରେ ନିର୍ବାଚନ ନ ହୋଇ ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହାକୁ ନେଇ ଆରମ୍ଭ ହୋଇଛି ଆଇନଗତ ବିତର୍କ ା ଏହାକୁ ନେଇ ମାମଲା ହାଇକୋର୍ଟରେ ପହଁଞ୍ଚିଥିବା ଶୁଣିବାକୁ ମିଳିଛି ା ମାମଲାର ଶୁଣାଣି ପରେ ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ଆଲୋଚନା ହେଉଛି ା କାଶୀପୁର ‘ଗ’ ଜୋନର ସଭ୍ୟ ନୀଳକଣ୍ଠ ଝୋଡିଆଙ୍କ ସଭ୍ୟ ପଦ ଜିଲା କୋର୍ଟ ରଦ୍ଦ କରିବା ପରେ ସେ ହାଇକୋର୍ଟର ଆଶ୍ରୟ ନେଇଛନ୍ତି ା ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଥିବାରୁ ତାଙ୍କୁ ମିଶାଇ କଂଗ୍ରେସର ସଭ୍ୟ ସଂଖ୍ୟା ୧୦ ଜଣ ଅଛନ୍ତି ା ଗତ ଜିଲା ପରିଷଦ ନିର୍ବାଚନରେ ୨୨ ଆସନ ମଧ୍ୟରୁ କଂଗ୍ରେସ ୧୧ ଟି ଦଖଲ କରିଥିବାବେଳେ ବିଜେଡି ୭ ଏବଂ ଭାଜପା ୪ଟି ଅକ୍ତିଆର କରିବାରେ ସଫଳ ହୋଇଥିଲେ ା ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ଜିଲା ପରିଷଦ ୨୨ଟିରୁ ୨୧ ଜଣ ସଭ୍ୟ ରହିଛନ୍ତି ା ବର୍ତ୍ତମାନ ୨୧ ଜଣ ସଭ୍ୟଙ୍କୁ ନେଇ ନିର୍ବାଚନ ହେବାର ଅଛି ା

Share