Categories: ନୂଆପଡ଼ା

ଜିଲା ପରିଷଦ ବୈଠକ: ଜିଲାର ବିବିଧ ସମସ୍ୟା ଉପରେ ଆଲୋଚନା

ନୂଆପଡା ଅଫିସ,୨୧ା୯
ନୂଆପଡା ଜିଲା ଗଠନ ହେବାଠାରୁ ପଚିଶ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ ବାର୍ଷିକ କୋଟି କୋଟି ଟଙ୍କାର ଯୋଜନାରେ ଟଙ୍କା ଖର୍ଚ୍ଚ ହେଉଛି। ତଥାପି ସମସ୍ୟା ଯଥା ପୂର୍ବଂ ତଥା ପର ହୋଇ ରହିଛି। ଏହାକୁ ନେଇ ବିଭିନ୍ନ ସମୟରେ ଯୋଜନା ପ୍ରସ୍ତୁତ ହେଉଛି, ହେଲେ ପରବର୍ତ୍ତି ସମୟରେ କାର୍ଯ୍ୟାନ୍ବୟନ ହେଉ ନ ଥିବାରୁ ଜନପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିଥିଲେ। ଶୁକ୍ରବାର ସ୍ଥାନୀୟ ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲା ପରିଷଦ ବୈଠକରେ ଯୋଗଦେଇ ପ୍ରତିନିଧିମାନେ ଏହା କହିଛନ୍ତି ।
ପୂର୍ବାହ୍ନ ୧୧ଟାବେଳେ ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲାପାଳ ମଧୁସ୍ମିତା ସାହୁ, କଲାହାଣ୍ଡି ଏମପି ବସନ୍ତ କୁମାର ପଣ୍ଡା, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ଏଥିରେ କ୍ରମାନ୍ବୟରେ ଜିଲାର ବିଭିନ୍ନ ବିଭାଗ ଉପରେ ଆଲୋଚନା ହୋଇଥିଲା। ଜିଲାରେ ଗତ ଦିନରେ ଧାନ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ପ୍ରତିନିଧିମାନେ ଯୋଗାଣ ବିଭାଗ ଉପରେ ବର୍ଷିଥିଲେ। ବିଭାଗୀୟ ଅଧିକାରୀ ଏବଂ ମିଲର୍ସଙ୍କ ମଧୁଚନ୍ଦ୍ରିକା ଯୋଗୁ ଚାଷୀ ହରଡଘଣାରେ ପଡୁଥିବା ନେଇ ଚର୍ଚ୍ଚା ହୋଇଥିଲା। ତଥାପି ବିଭାଗ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହିଭଳି ଜିଲାରେ ୟୁରିଆ ସାରର କଳାବଜାରୀ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ପ୍ରତିନିଧିମାନେ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପ୍ରାଣୀ ଚିକିତ୍ସା, ଜଙ୍ଗଲ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ସେହିଭଳି ଆଗାମୀ ଦିନରେ ଜିଲା ପାଇଁ କଅଣ ସବୁ ବ୍ୟବସ୍ଥା କରାଯିବ ସେ ଉପରେ ମଧ୍ୟ ପ୍ରସ୍ତାବ ଆସିଥିଲା। ଜିଲ୍ଲାପାଳ ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ତପତ୍ରତା ପ୍ରକାଶ କରି ତୃଣମୂଳସ୍ତରକୁ ଯାଇ କାମ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କୃଷି ଉପନିର୍ଦ୍ଦେଶକ ଜାହିଦ ଖାନ, ଜିଲା ଖାଦ୍ୟ ଯୋଗାଣ ଅଧିକାରୀ ଅଶୋକ ଦାସ, ଜିଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା ଅଭିଯାନ ଆଦିକନ୍ଦ ଦାସ, ଜିଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝି ପ୍ରମୁଖ ଯୋଗଦେଇଥିବାବେଳେ ସମସ୍ତ ବିିଡିଓ, ତହସିଲଦାର, ପଞ୍ଚାୟତିରାଜ ପ୍ରତିନିଧିମାନେ ଯୋଗଦେଇଥିଲେ। ଜିଲାପାଳ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।