Posted inପୁରୀ

ଜିଲା ପ୍ରଶାସନର ହସ୍ତଗତ ହେଲା ସରକାରୀ ନିର୍ଦ୍ଦେଶନାମା:୭୫ ମିଟର ଉଚ୍ଛେଦ ପାଇଁ ଆଜିଠୁ ସର୍ଭେ

ପୁରୀ ଅଫିସ,୨୮-୮:ଶ୍ରୀମନ୍ଦିର ସୁରକ୍ଷା ପାଇଁ ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ ଲାଗି ସରକାରୀ ନିର୍ଦ୍ଦେଶନାମା ମଙ୍ଗଳବାର ଜିଲା ପ୍ରଶାସନର ହସ୍ତଗତ ହୋଇଛି। ତେଣୁ ବୁଧବାରଠାରୁ ଏଥିଲାଗି ସର୍ଭେ ଆରମ୍ଭ କରାଯିବ। ୭୫ ମିଟର ମଧ୍ୟରେ କେତେ ଘର, କେତେ ବ୍ୟବସାୟ ପ୍ରତିଷ୍ଠାନ ଏବଂ ମଠ, ମନ୍ଦିର ରହିଛି ତାହା ଆକଳନ ହେବ। ସର୍ଭେ ପରେ ସବିଶେଷ ରିପୋର୍ଟ ଓ ଥଇଥାନର ରୂପରେଖ ୭ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ଅସୁରକ୍ଷିତ କୋଠା ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ଜିଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି।
ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ସିଂ ୭୫ମିଟର ଉଚ୍ଛେଦ ସଂକ୍ରାନ୍ତରେ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ବୁଧବାରଠାରୁ ସର୍ଭେ ଆରମ୍ଭ ହେବ। ଏହାପରେ ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ଜମି ଅଧିଗ୍ରହଣ କରାଯିବ। ଏଥିରେ ସାଧାରଣତଃ ୩ ପ୍ରକାର ଅର୍ଥାତ ମଠ ମନ୍ଦିର, ବ୍ୟବସାୟ ପ୍ରତିଷ୍ଠାନ ଏବଂ ବ୍ୟକ୍ତିଗତ ଲୋକଙ୍କ ଜମି ରହିଛି। ସମସ୍ତଙ୍କୁ ଉପଯୁକ୍ତ ଥଇଥାନ କରାଯିବ। କ୍ଷତିଗ୍ରସ୍ତ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବର୍ତ୍ତମାନ ବଡ଼ଦାଣ୍ଡରେ ଥଇଥାନ କରାଯିବାକୁ ଯୋଜନା ହୋଇଛି। ଜଗନ୍ନାଥ ବଲ୍ଲଭରେ ନିର୍ମିତ ୩୯ଟି ଦୋକାନ ଘର ମଧ୍ୟରୁ ଅନେକ ଦୋକାନ ନେଇଥିଲେ ମଧ୍ୟ ବ୍ୟବସାୟ କରୁନାହାନ୍ତି। ଆଉ କେତେଜଣ ଭଡ଼ା ଦେଉନାହାନ୍ତି। ସେମାନଙ୍କୁ ନୋଟିସ୍‌ ଦିଆଯାଇଛି। ଆବଶ୍ୟକସ୍ଥଳେ ସେମାନଙ୍କ ଚୁକ୍ତି ବାତିଲ କରାଯାଇ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଦିଆଯିବ। ଏତଦ୍‌ବ୍ୟତୀତ ଜଗନ୍ନାଥ ବଲ୍ଲଭ ଓ ଯାତ୍ରୀକାରେ ମାର୍କେଟ କମ୍ପ୍ଲେକ୍ସ ତିଆରି ହେବ। ବର୍ତ୍ତମାନ ନିର୍ମାଣ ଚାଲିଥିବା ହବିଷିଆଳି କେନ୍ଦ୍ର ଓ ପୁରୁଣା ଜେଲ୍‌ ପରିସର ଭକ୍ତ ନିବାସ ତଳେ ମଧ୍ୟ ବ୍ୟବସାୟୀଙ୍କୁ ଥଇଥାନ କରାଯିବ। କୌଣସି ଦୋକାନୀ ଏଥିରୁ ବାଦ୍‌ ପଡ଼ିବେ ନାହିଁ। ୭୫ମିଟର ମଧ୍ୟରେ ଥିବା ମଠ ଓ ମନ୍ଦିରରେ ପୂଜା ପାଉଥିବା ଦେବଦେବୀଙ୍କ ବିଜେସ୍ଥଳୀକୁ ଭଙ୍ଗାଯିବନାହିଁ। ଏହି ବିଜେସ୍ଥଳୀକୁ ବାଦ୍‌ ଦେଇ ଅନ୍ୟ ସବୁନିର୍ମାଣ ଭଙ୍ଗାଯିବ। କ୍ଷତିଗ୍ରସ୍ତ ମଠଗୁଡ଼ିକୁ ଶ୍ରୀମନ୍ଦିର ନିକଟରେ ଅର୍ଥାତ୍‌ ୭୫ମିଟର ପରେ ଥଇଥାନ କରାଯିବ। ଏକାଧିକ ମଠର ଜାଗା ୭୫ମିଟରଠାରୁ ଆହୁରି ଅଧିକ ପଛକୁ ରହିଛି। ସେହିସବୁ ଜାଗାକୁ ଅଧିଗ୍ରହଣ କରାଯିବ। ଅନ୍ୟ କ୍ଷତିଗ୍ରସ୍ତ ମଠର ମହନ୍ତ, ଶିଷ୍ୟ, ପୂଜକ ଏବଂ ସାଧୁସନ୍ଥଙ୍କ ରହିବା ଲାଗି ସେଠାରେ ଛୋଟ ଛୋଟ ଘର ତିଆରି କରାଯାଇ ସେମାନଙ୍କୁ ଥଇଥାନ କରାଯିବ।
ସେହିପରି ୭୫ମିଟର ମଧ୍ୟରେ ରହିଥିବା ବାସଗୃହକୁ ଉଚ୍ଛେଦ କରାଯାଇ ଜମି ଅଧିଗ୍ରହଣ ହେବ। ଏଥିରେ କ୍ଷତିଗ୍ରସ୍ତମାନଙ୍କୁ ଉପଯୁକ୍ତ ଥଇଥାନ କରାଯିବ। ଯେଉଁମାନଙ୍କର ଘର ଭାଙ୍ଗିବ ସେମାନେ ଚାହିଁଲେ କ୍ଷତିପୂରଣ ବାବଦ ଅର୍ଥ ନେଇପାରିବେ। ନଚେତ ଯଦି ଚାହିଁବେ ସେମାନଙ୍କୁ ଜାଗା କିମ୍ବା ଘର ଯୋଗାଇ ଦିଆଯିବ। କ୍ଷତିଗ୍ରସ୍ତ ଲୋକଙ୍କୁ ଜାଗା ଓ ଘର ଯୋଗାଇଦେବା ପାଇଁ ସରକାରୀସ୍ତରରେ ସହର ମଧ୍ୟରେ ଥିବା ୩ଟି ମଠ ଗୋପାଳତୀର୍ଥ, ମହୀପ୍ରକାଶ ଏବଂ ଅଲାରକୋଟର ଜମି ଅଧିଗ୍ରହଣ କରାଯିବ। କ୍ଷତିଗ୍ରସ୍ତ ଲୋକେ ଯେଉଁମାନେ ଜମି ନେବାକୁ ଇଚ୍ଛା କରିବେ ସେମାନଙ୍କୁ ଏଠାରେ ଜମି ଦିଆଯିବ। ଯଦି ଘର ଚାହିଁବେ ତେବେ ଅତିବେଶିରେ ୨ବର୍ଷ ମଧ୍ୟରେ ଘର ତିଆରି କରି ଦିଆଯିବ। ଘର ବଦଳରେ ଘର ନେବାକୁ ଚାହୁଁଥିବା କ୍ଷତିଗ୍ରସ୍ତମାନଙ୍କୁ ଏହି ସମୟରେ ଘର ଭଡ଼ା ଦିଆଯିବ। ଘର ଖାଲି କରିବା ଲାଗି କ୍ଷତିଗ୍ରସ୍ତଙ୍କୁ ପରିବହନ ଖର୍ଚ୍ଚ ଦିଆଯିବ। ଉକ୍ତ ୭୫ ମିଟର ମଧ୍ୟରେ ପ୍ରାୟ ୧୭୦ଟି ବାସଗୃହ, ୫୦ଟି ଦୋକାନ ଏବଂ ଲଜିଂ ରହିଛି।

କାଗଜପତ୍ରରେ ଥଇଥାନ ଦାବିକଲେ ମଠ ମହନ୍ତ

କ୍ଷତିଗ୍ରସ୍ତ ମଠ ମହନ୍ତଙ୍କ ସହ ମଙ୍ଗଳବାର ବିଧାୟକ ପ୍ରଣବ ପ୍ରକାଶ ଦାସ ସ୍ଥାନୀୟ ଏକ ହୋଟେଲରେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ସେମାନଙ୍କର ସମସ୍ତ ପ୍ରକାର ଦାବି ଶୁଣାଯିବ। ତେଣୁ ସେମାନେ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ବିଧାୟକ ଦାସ କହିଥିବାବେଳେ ମଠ, ମନ୍ଦିରକୁ ଥଇଥାନ କରି ସରକାର ଏ ଦିଗରେ ଅଗ୍ରସର ହୁଅନ୍ତୁ ବୋଲି ମଠ ମହନ୍ତମାନେ ମତ ରଖିଛନ୍ତି। ଏ ସଂକ୍ରାନ୍ତରେ ନିଖିଳ ଉତ୍କଳ ମଠ ମନ୍ଦିରାଧୀଶ ସେବା ସଂଘର ମହାସଚିବ ତଥା କଟକୀ ମଠ ମହନ୍ତ ବିଜୟ ରାମାନୁଜ ଦାସ କହିଛନ୍ତି, ମଠ ସଂସ୍କୃତିକୁ ନେଇ ଶ୍ରୀକ୍ଷେତ୍ର ସମୃଦ୍ଧ। ଆଇକନିକ ସିଟି ନଁାରେ ଐତିହ୍ୟ ଭାଙ୍ଗି ଦେବା ଠିକ୍‌ ନୁହେଁ। ଜଗନ୍ନାଥ ଯଦି ବରଗଛ ମଠ ସଂସ୍କୃତି ତାର ଓହଳ। ଓହଳ କାଟିଦେଲେ ଗଛ ତିଷ୍ଠି ପାରିବନି। ବର୍ତ୍ତମାନ ଶ୍ରୀମନ୍ଦିରକୁ ସୁରକ୍ଷା ପ୍ରସଙ୍ଗ କୁହାଯାଇ ମଠ, ମନ୍ଦିରକୁ ଉଚ୍ଛେଦ କରାଯିବାର ଯୋଜନା କରାଯାଇଛି। ଆଜି ପର୍ଯ୍ୟନ୍ତ ଯେଉଁମାନେ ମହାପ୍ରଭୁଙ୍କୁ ସୁରକ୍ଷା ଦେଇଛନ୍ତି ତାହା କ’ଣ ପର୍ଯ୍ୟାପ୍ତ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି। କାହା ମାଧ୍ୟମରେ ନୁହେଁ, ଯେଉଁମାନଙ୍କୁ ସରକାର ଅଧିକୃତ କରିବେ ସେହିମାନେ ଆସି କ୍ଷତିଗ୍ରସ୍ତ ମଠ ମହନ୍ତମାନଙ୍କ ସହିତ ସିଧାସଳଖ ଆଲୋଚନା କରନ୍ତୁ। ଥଇଥାନ ନେଇ ଯେଉଁ ନିଷ୍ପତ୍ତି ହେଉଛି ତାହା କାଗଜ କଲମରେ ହେବା ଦରକାର। ସରକାର ଗଣତାନ୍ତ୍ରିକ ପଦ୍ଧତିରେ ସବୁ କରନ୍ତୁ। କ୍ଷତିଗ୍ରସ୍ତ ମଠର ଗାଦିଘର, ମନ୍ଦିର, ମହନ୍ତ ଏବଂ ପୂଜାରୀ କେଉଁଠି ରହିବେ ତାହାର ଥଇଥାନ କରିବା ଦରକାର। ବିଭିନ୍ନ ମଠକୁ ବାହାରୁ ଆସୁଥିବା ସାଧୁସନ୍ଥଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନରେ ପୋକ, ଘରକୁ ଫେରିଲେ ଛାତ୍ରୀଛାତ୍ର

କଣାସ/ସାକ୍ଷୀଗୋପାଳ,୨୨।୧୧ (ବିଭୂତି ଭୂଷଣ ତ୍ରିପାଠୀ/ଭରତ ରାଉତ): ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ପାଇଁ ମଧ୍ୟାହ୍ନଭୋଜନ ଯୋଜନା କାର୍ଯ୍ୟକାରୀ ହେଉଛି।...

ସାକ୍ଷୀଗୋପାଳ ବିଦ୍ୟୁତ ସବଡିଭିଜନ କାର୍ଯ୍ୟାଳୟରେ ଧାରଣା

ସାକ୍ଷୀଗୋପାଳ,୨୦।୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଗ୍ରାମୀଣ ମହିଳାମାନଙ୍କ ଆତ୍ମନିର୍ଭରଶୀଳ ନିମନ୍ତେ ଗଠନ କରାଯାଇଥିବା ଶ୍ରୀରାଧା ମରା ନଡ଼ିଆ ତେଲ କ୍ଲଷ୍ଟରରୁ ବିଦ୍ୟୁତ ସଂଯୋଗ କାଟି ଦିଆଯିବାରୁ...

‘ବନବାସ’ ରିଲିଜ୍‌ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବଲିଉଡ ଅଭିନେତା ଉତ୍କର୍ଷ

ପୁରୀ,୧୯।୧୧: ବଲିଉଡ ହିରୋ ଉତ୍କର୍ଷ ଶର୍ମା ମଙ୍ଗଳବାର ପୁରୀରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଗାମୀ ଫିଲ୍ମ...

ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଅଳଙ୍କାର ଗଣତି

ଭୁବନେଶ୍ୱର/ପୁରୀ,୧୮ା୧୧: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ରତ୍ନଭଣ୍ଡାର ଅଳଙ୍କାର ଗଣତିକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାରର...

ମହାପ୍ରଭୁ ଜଗନ୍ନାଥଙ୍କ ଜମି ହାତେଇବା ଉଦ୍ୟମ, ଜାଲିଆତି ନେଇ ଶ୍ରୀମନ୍ଦିର ପ୍ରଶାସନ…

ପୁରୀ,୧୬ା୧୧: ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଏତଲା ଦାୟର କରାଯାଇଛି। ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ଜମି...

ହଟିଲା କଟକଣା: ଆଜିଠୁ ଚାରିଦ୍ୱାର ଖୋଲା

ପୁରୀ,୧୬ା୧୧(ଅଜିତ୍‌ କୁମାର ମହାନ୍ତି):ଭକ୍ତଙ୍କ ନିମନ୍ତେ ଖୁସି ଖବର। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଶୁକ୍ରବାର ହଟାଇ ନିଆଯାଇଛି। ଶନିବାରଠାରୁ...

କାହିଁକି କାର୍ତ୍ତିକ ପୂର୍ଣ୍ଣିମାରେ ହେଲା ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ,୨୫।୧୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରରେ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି l ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ଭିତର ପଟ ପାହାଚରେ...

କାଲିଠୁ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ, ହେଲେ ପ୍ରସ୍ଥାନ ପାଇଁ ନାହିଁ …

ପୁରୀ,୧୫।୧୧(ଅଜିତ୍‌ କୁମାର ମହାନ୍ତି): କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରତ ଧାରିମାନେ ଡ଼ଙ୍ଗା ଭସାଇବା ସହ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବହୁ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri