ବଲାଙ୍ଗୀର ଅଫିସ, ୩୦ା୩: କରୋନା ସଂକ୍ରମଣ ମୁକାବିଲା ପାଇଁ ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ (ବିଡିସିସି) ପକ୍ଷରୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଠିକୁ ପ୍ରଦାନ କରାଯାଇଛି । କୋଭିଡ୍-୧୯ ମୁକାବିଲା ସକାଶେ ଜିଲା ପ୍ରଶାସନର ବିଭିନ୍ନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସ୍ବେଚ୍ଛାକୃତ ଭାବେ ୧୫ ଲକ୍ଷ ୪ ହଜାର ୪୩୫ ଟଙ୍କାରର ସହାୟତା ପ୍ରଦାନ କରିଛନ୍ତି । ଜିଲାପାଳ ଅରିନ୍ଦମ ଡାକୁଆ ଏହି ଚେକ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରେରଣ କରିଥିଲେ । ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଜାଗୁରୀ, ତହସିଲଦାର ଲଲାଟ କୁମାର ଲୁହା, ଜିଲା ଜୁରରୀକାଳୀନ ଅଧିକାରୀ ଶଙ୍କର୍ଷଣ ପ୍ରଧାନ ନିଜାରତ ଅଧିକାରୀ ଗୁରେଶ୍ୱର ଭୋଇ ଉପସ୍ଥିତ ଥିଲେ ।
ବିଡିସିିସି ବ୍ୟାଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ଚେକ୍କୁ ସିଧାସଳଖ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଆକାଉଣ୍ଟରେ ଜମା କରାଯାଇଛି ବୋଲି ବ୍ୟାଙ୍କ ସଭାପତି ଲକ୍ଷ୍ମଣ କୁମାର ମେହେର ଜଣାଇଛନ୍ତି । ଏହି ଅବସରରେ ବ୍ୟାଙ୍କ ସିଇଓ ବାଙ୍କାନିଧି ରାୟଗୁରୁ ଉପସ୍ଥିତ ଥିଲେ । ବ୍ୟାଙ୍କ ପକ୍ଷରୁ ଅର୍ଜିତ ଲାଭାଂଶ ଅର୍ଥରୁ ଏହି ଟଙ୍କା ପ୍ରଦାନ କରାଯାଇଥିବା ସଭାପତି ମେହେର ଜଣାଇଛନ୍ତି । ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ସରକାର ଯେଉଁ ସବୁ କଟକଣା ଲାଗୁ କରିଛନ୍ତି ତାକୁ କଡାକଡି ପାଳନ କରିବା, ସାମାଜିକ ଦୂରତା ରକ୍ଷା କରିବା ଓ ନିୟମିତଭାବେ ହାତ ଧୋଇବା ପାଇଁ ମେହେର ଜନସାଧାରଣଙ୍କୁ ନିବେଦନ କରିଛନ୍ତି।