Categories: ଗଞ୍ଜାମ

ଜିଲା ବାହାରକୁ ଆମ୍ବୁଲାନ୍ସ ଗଲେ ଜିଲାପାଳଙ୍କ ଅନୁମତି ଉଚ୍ଛେଦ ଦାବି

ବ୍ରହ୍ମପୁର ଅଫିସ୍‌,୪ା୬-ସ୍ବାସ୍ଥ୍ୟ ସେବାରେ ସୁଧାର ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ତରଫରୁ ଘଣ୍ଟଯାତ୍ରା ସୋମବାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଥିଲା। ମୃତଦେହ ବୋହିବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଆବଶ୍ୟକ ବେଳେ ଆମ୍ବୁଲାନ୍ସ ମିଳୁନି। ନିୟମ, ଅନୁପତି ପତ୍ର ଏବଂ ଅତ୍ୟଧିକ ଦର ଯୋଗୁ ସମ୍ପର୍କୀୟମାନେ ମହାପ୍ରୟାଣ ଗାଡ଼ି ପାଉନାହାନ୍ତି । ବଡ଼ ମେଡ଼ିକାଲ୍‌ରେ ଆମ୍ବୁଲାନ୍ସ ଇନ୍‌ଚାର୍ଜ, ଡ୍ରାଇଭର୍‌ମାନେ ଗାଡ଼ିର ଯାନ୍ତ୍ରିକ ତ୍ରୁଟି ଥିବା ଅଧିକାଂଶ ସମୟରେ କହୁଛନ୍ତି । କିଲୋମିଟର ପିଛା ୧୨ ଟଙ୍କା ହିସାବରେ ଆଦାୟ କରୁଛନ୍ତି। ୧୦୮ ଆମ୍ବୁଲାନ୍ସ ମାଗଣା ଥିବା ବେଳେ ମହାପ୍ରୟାଣ ଗାଡ଼ି ପାଇଁ ପ୍ରଚୁର ଟଙ୍କା ଆଦାୟ ହେଉଛି। ଜିଲା ପ୍ରଶାସନ ତରଫରୁ ଆଉ ଏକ ନିର୍ଦ୍ଦେଶନାମା ରହିଛି । ମୃତଦେହ ଯଦି ଜିଲା ବାହାରକୁ ଯିବ, ତେବେ ମହାପ୍ରୟାଣ ଗାଡ଼ି ପାଇଁ ଜିଲାପାଳଙ୍କଠାରୁ ଅନୁମତି ନେବାକୁ ପଡ଼ୁଛି । କିନ୍ତୁ ସବୁ ସମୟରେ ଅନୁମତି ନେବା ସମ୍ଭବ ହେଉନାହିଁ। ପ୍ରଭାବଶାଳୀଙ୍କୁ ଛାଡ଼ିଦେଲେ, ଅନ୍ୟମାନେ ଏହାର ସୁବିଧା ପାଉନାହାନ୍ତି। ଏହାର ଫାଇଦା ନେଇ ଘରୋଇ ଗାଡି ଚାଳକମାନେ କିଲୋମିଟର ପିଛା ୧୫ଟଙ୍କା ଆଦାୟ କରୁଛନ୍ତି। ଏଣୁ ଜିଲାପାଳଙ୍କ ଅନୁମତି ନିୟମକୁ ହଟାଇବାକୁ ଦାବି କରାଯାଇଛି। ଦକ୍ଷିଣ ଓଡ଼ିଶାର ଲକ୍ଷାଧିକ ରୋଗୀ ଏବଂ ପଡୋଶୀ ଜିଲାର ବହୁ ରୋଗୀ ବଡ଼ ମେଡ଼ିକାଲକୁ ଆସୁଛନ୍ତି। ହେଲେ ରୋଗୀଙ୍କ ଅନୁପାତରେ ଆମ୍ବୁଲାନ୍ସ ନାହିଁ। ଏହି ଅସୁବିଧାର ସମାଧାନ ପାଇଁ ଦାବି କରାଯାଇଥିଲା। ମଞ୍ଚ ଆବାହକ ଅବନୀ କୁମାର ଗୟା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ପୂର୍ଣ୍ଣଚନ୍ଦ୍ର ମହାରଣା, ମାଗୁଣି ନାହାକ, ମହେଶ୍ୱର ବାଡ଼ତ୍ୟା, ଲକ୍ଷ୍ମୀ ନାରାୟଣ ରାଉତ, ମନୋଜ କୁମାର ତରାଇ, ଗୌରୀ ଶଙ୍କର ମହାନ୍ତି ଓ ରଞ୍ଜନ କୁମାର ମିଶ୍ର ପ୍ରମୁଖ ଏହି ବିକ୍ଷୋଭରେ ଭାଗ ନେଇଥିଲେ ।