ଜିଲା ମୁଖ୍ୟ ଚିକିତ୍ସାଳୟରେ ‘ମୋ ସରକାର ଟିମ୍‌’

ବାଲେଶ୍ୱର ଅଫିସ, ୨୦।୧୨-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀରମୋହନ ସରକାରୀ ମେଡ଼ିକାଲ କଲେଜକୁ ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ ୩ ଜଣିଆ ମୋ ସରକାର ଟିମ୍‌ ପରିଦର୍ଶନ କରିଛନ୍ତି। ଚିକିତ୍ସାଳୟ ଓପିଡ଼ି ସମେତ ଔଷଧ ବିତରଣ କେନ୍ଦ୍ର ଓ ସମସ୍ତ ବିଭାଗ ପରିଦର୍ଶନ କରିବା ପରେ ଆହାର କେନ୍ଦ୍ରରେ ମିଳୁଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ।
ମୋ ସରକାର ଟିମ୍‌ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଡା. ମାନସ ରଞ୍ଜନ ସାମନ୍ତରାୟ, ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରଶାନ୍ତ କୁମାର ଦାସ, ଗୋଷ୍ଠୀ ସାଧନ କେନ୍ଦ୍ର ଜାତୀୟ ସ୍ବାସ୍ଥ୍ୟ ମିଶନ ମୁଖ୍ୟ ପରାମର୍ଶଦାତା ଡା. ସୁଶାନ୍ତ କୁମାର ନାୟକ ମିଳିତ ଭାବେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ସାମିଲ ଥିଲେ। ଟିମ୍‌ ସଦସ୍ୟମାନେ ପହଞ୍ଚତ୍ ଓପିଡ଼ିର ଡାକ୍ତରମାନେ ରୋଗୀଙ୍କ ପାଇଁ ଲେଖୁଥିବା ଔଷଧ, ଔଷଧ ବିତରଣ କେନ୍ଦ୍ର, ବିଭିନ୍ନ ୱାର୍ଡ଼ର ସ୍ବଚ୍ଛତା, ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ସମ୍ପର୍କୀୟଙ୍କୁ ପଚାରି ବୁଝିବା ପରେ ଚିକିତ୍ସାଳୟର ଉନ୍ନତି ନିମନ୍ତେ ଫକୀରମୋହନ ସରକାରୀ ମେଡ଼ିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟ ଡା. ସୁଧୀର ଘୋଷ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କ ସମେତ ବହୁ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଶେଷରେ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ରକୁ ଯାଇ ରୋଗୀମାନଙ୍କୁ ମିଳୁଥିବା ଖାଦ୍ୟ ଖାଇ ତାହାର ମାନ ଯାଞ୍ଚ କରିଥିଲେ।