ଜିଲା ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା ‘ସଖୀ’ ୱାନଷ୍ଟପ୍‌ ସେଣ୍ଟର: ଗୋଟିଏ ସ୍ଥାନରେ ମିଳିବ ଚିକିତ୍ସା, ଆଇନ ସୁବିଧା

ଅନୁଗୋଳ ଅଫିସ, ୨୮।୮-ନିର୍ଯାତିତା ମହିଳା ଓ ବାଳିକାମାନଙ୍କୁ ସମନ୍ବିତ ସୁବିଧା, ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ‘ସଖୀ’ର ୱାନଷ୍ଟପ୍‌ ସେଣ୍ଟର ଉଦ୍‌ଘାଟିତ ହୋଇଛି। ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଓ ଜିଲାପାଳ ମନୋଜ କୁମାର ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ।
ପୀଡ଼ିତାଙ୍କୁ ଗୋଟିଏ ସ୍ଥାନରେ ପୋଲିସ, ଡାକ୍ତର, ଆଇନଗତ ସହାୟତା ଯୋଗାଇ ଦେବା ଏବଂ ମନସ୍ତାତ୍ତ୍ବିକ ଓ ସାମାଜିକ ପରାମର୍ଶ ସହ ଆଶ୍ରୟ ଦିଆଯିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏପରି ପୀଡ଼ିତା ନଂ. ୯୦୭୮୦୭୬୪୦୦ରେ ଯୋଗାଯୋଗ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଜଣାଇ ଦିଆଯାଇଛି। ଏହି କେନ୍ଦ୍ରରେ ବଳାତ୍କାର, ଅପହରଣ, ନିଖୋଜ, ପାରିବାରିକ ହିଂସା, ଏସିଡ୍‌ ଆକ୍ରମଣ, ଯୌନ ଉତ୍ପୀଡନ ଓ ଶୋଷଣ, ମହିଳା ଚାଲାଣ, ଶିଶୁ ଯୌନ ନିର୍ଯାତନା, ବାଲ୍ୟ ବିବାହ, ସାଇବର କ୍ରାଇମ୍‌, ଯୌତୁକ ନିର୍ଯାତନା ଆଦି ଘଟଣାରେ ପୀଡ଼ିତାଙ୍କୁ ସମସ୍ତ ସୁବିଧା ମିଳପାରିବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରତାପ କୁମାର ବେହେରା, ଏଡିଏମ୍‌ଓ (ମେଡିକାଲ) ଡାକ୍ତର ଲକ୍ଷ୍ମୀନାରାୟଣ ବିଶୋଇ, ଜିଲା ସମାଜ ମଙ୍ଗଳ ଅଧିକାରୀ ଆଲମା ବରୁଆ, ଡିପିଏମ୍‌ଏନ୍‌ଏଚ୍‌ଏମ୍‌ ବିଶ୍ୱରଞ୍ଜନ ରଥଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।