Advertisement

ଜିଲା ମୁଖ୍ୟ ଚିକିତ୍ସାଳୟରେ ଏସ୍‌ପି କଲେ ଚଢ଼ାଉ

ନୟାଗଡ଼ ଅଫିସ,୨୭।୯- ଆସନ୍ତା ଅକ୍ଟୋବର ୨ ତାରିଖରେ ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଏଥିପାଇଁ ବୁଧବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଆଲୋଚନା କରି ୧୫ ଦିନ ଭିତରେ ହସ୍ପିଟାଲଗୁଡ଼ିକ ଦଲାଲମୁକ୍ତ କରିବା ପାଇଁ କହିଥିଲେ। ଏହାର ପ୍ରଭାବ ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଥିଲା। ଏସ୍‌ପି ଶଶିଭୂଷଣ ଶତପଥୀ ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ ପହଞ୍ଚତ୍ ଚଢ଼ାଉ କରିଥିଲେ। ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଘରୋଇ ଆମ୍ବୁଲାନ୍ସ ଓ ଅଟୋଗୁଡ଼ିକୁ ବାହାରିଯିବା ପାଇଁ କହିଥିଲେ। ପୁନର୍ବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ରହିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଫଳରେ ସଙ୍ଗେ ସଙ୍ଗେ ସେମାନେ ମେଡ଼ିକାଲ୍‌ ପରିସରରୁ ସେମାନଙ୍କ ଗାଡ଼ି ନେଇ ପଳାଇ ଯାଇଥିଲେ। ଏହାପରେ ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ଼ ବୁଲି ରୋଗୀମାନଙ୍କ ସର୍ମ୍ପକୀୟ ବସିବା ପାଇଁ କୌଣସି ସ୍ଥାନ ନ ଥିବା ଏସ୍‌ପି ଦେଖିବାକୁ ପାଇଥିଲେ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କ ସହିତ ଆଲୋଚନା କରି ଏହାର ବନ୍ଦୋବସ୍ତ କରାଇବା ପାଇଁ କହିଥିଲେ। ମେଡ଼ିକାଲ୍‌ ପରିସର କିପରି ଦଲାଲ୍‌ମୁକ୍ତ କରାଯିବ ସେ ନେଇ ଆଲୋଚନା କରିଥିଲେ। ଦଲାଲ୍‌ମାନେ ଯେବେ ମେଡ଼ିକାଲ୍‌ ପ୍ରବେଶ କରିବେ ସେମାନଙ୍କୁ ଧରାଯାଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା। ଏହିଭଳି ଚଢ଼ାଉ ଜାରି ରହିଲେ ରୋଗୀମାନେ ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ ସେବା ଭଲ ଭାବରେ ପାଇପାରିବେ ବୋଲି ଉପସ୍ଥିତ ବ୍ୟକ୍ତିମାନେ ପ୍ରକାଶ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share