ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସ୍ବାସ୍ଥ୍ୟ ପ୍ରତିନିଧି ଦଳ:ଖୁବ୍‌ଶୀଘ୍ର ମିନି ଆଇସିୟୁ, ଏଚ୍‌ଡିୟୁ

ଢେଙ୍କାନାଳ ଅଫିସ, ୧୦।୧୨

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୩ଜଣିଆ ପ୍ରତିନିଧି ଦଳ ସୋମବାର ଢେଙ୍କାନାଳ ଜିଲା ଚିକିତ୍ସାଳୟର ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଉପଦେଷ୍ଟା ତଥା ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ପି.କେ. ପ୍ରଧାନ, ସ୍ବତନ୍ତ୍ର ସଚିବ ଡା. ହର ପଟ୍ଟନାୟକ ଏବଂ ନର୍ସିଂ ବିଭାଗ ନିର୍ଦ୍ଦେଶକ ଡା. ସୁଶୀଲ କୁମାର କର ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଖାଲିପଡ଼ିଥିବା ଡାକ୍ତର, ଷ୍ଟାଫ୍‌ନର୍ସ, କର୍ମଚାରୀ ପଦବୀ ପୂରଣ, ଉନ୍ନୟନ କାର୍ଯ୍ୟ ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ରୋଗୀଙ୍କ ସୁବିଧା ଲାଗି ଏଠାରେ ଖୁବ୍‌ଶୀଘ୍ର ମିନି ଆଇସିୟୁ ଏବଂ ପ୍ରସୂତିଙ୍କ ପାଇଁ ହାଇ ଡିପେଣ୍ଡାଣ୍ଟ ୟୁନିଟ୍‌ (ଏଚ୍‌ଡିୟୁ) କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିନିଧିମଣ୍ଡଳୀ ସୂଚନା ଦେଇଛନ୍ତି।
ଅଧିକାରୀମାନେ ଜିଲା ଚିକିତ୍ସାଳୟର ଆଉଟ୍‌ ଡୋର, ଇସିଜି ପ୍ରକୋଷ୍ଠ, ପାଥୋଲାବ୍‌, ଏସ୍‌ଏନ୍‌ସିୟୁ, ଚକ୍ଷୁ ବିଭାଗ, ରୋଗୀ ପଞ୍ଜୀକରଣ କାଉଣ୍ଟର, ଔଷଧ ବିତରଣ କାଉଣ୍ଟର ସମେତ ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ। ଏଥିସହ ଆବର୍ଜନା ପରିଚାଳନା, ସ୍ବଚ୍ଛତା ଅନୁଧ୍ୟାନ କରିଥିଲେ। ଗୁରୁତର ରୋଗୀଙ୍କୁ ତ୍ୱରିତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ୩ମାସ ମଧ୍ୟରେ ୩ଶଯ୍ୟା ବିଶିଷ୍ଟ ମିନି ଆଇସିୟୁ ଖୋଲାଯିବ। ଏଥିଲାଗି ଜିଲା ମିନେରାଲ ଫଣ୍ଡରୁ ସହାୟତା ଯୋଗାଇ ଦିଆଯିବ। ସେହିପରି ଗୁରୁତର ପ୍ରସୂତିଙ୍କ ପାଇଁ ଏଚ୍‌ଡିୟୁ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ। ରୋଗୀଙ୍କ ଭିଡ଼କୁ ନଜରରେ ରଖି ଅଧିକ ପଞ୍ଜୀକରଣ ଏବଂ ଔଷଧ ବିତରଣ କାଉଣ୍ଟର ଖୋଲାଯିବ ବୋଲି ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।
ପ୍ରତିନିଧିମଣ୍ଡଳୀଙ୍କ ଗସ୍ତ ସମୟରେ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ (ମେଡିକାଲ) ଡା. ସଂକଳ୍ପ କେଶରୀ ଭୋଳ, ଡିପିଏମ୍‌ ସୋନାଲି ପ୍ରିୟଦର୍ଶିନୀ, ଅଲିଭା ଆଦ୍ୟାରଶ୍ମି ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Share