ଜିଲା ମୁଖ୍ୟ ଚିକିତ୍ସାଳୟ, ଆରଟିଓରେ ଚଢ଼ାଉ:୭ ଜଣଙ୍କୁ ଗିରଫ କଲା ପୋଲିିସ

ଅନୁଗୋଳ ଅଫିସ, ୨୮।୯

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଆରଟିଓ କାର୍ଯ୍ୟାଳୟରେ ଦଲାଲି ଅଭିଯୋଗରେ ଶୁକ୍ରବାର ୭ ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ କରିଛି। ଜିଲା ମୁଖ୍ୟ ଚିକିତ୍ସାଳୟରୁ ୪ ଜଣଙ୍କୁ ଗିରଫ କରାଯାଇ ନଂ. ୭୬୨/୧୯ରେ କୋର୍ଟଚାଲାଣ କରାଯାଇଛି। ଏମାନେ ହେଲେ ଶୁଶୁଡ଼ାର ପର୍ଶୁରାମ ଦାସ(୩୮), ପଞ୍ଚମହଲାର ବ୍ରହ୍ମଜ୍ୟୋତି ମିଶ୍ର(୩୭), ପଞ୍ଚମହଲାର ସୀତାଂଶୁ ନାଏକ(୩୪) ଓ ବନ୍ତଳା ଥାନା ପୁରୁଣାଗଡ଼ର ଦିଲୀପ ଦେଓ(୩୩)। ସେହିପରି ଆରଟିଓ କାର୍ଯ୍ୟାଳୟରୁ ୩ ଜଣ ଜରାସିଂହାରୁ ଶ୍ରୀଧର ସାହୁ(୩୪), ଶିମିଳିପଡ଼ାରୁ ଦିବାକର ପତି(୬୧) ଓ କୁଶାସିଂହାରୁ ସୁଦାମ ପତି(୩୪)ଙ୍କୁ ଗିରଫ ପରେ ନଂ. ୭୬୩/୧୯ରେ କୋର୍ଟ ଚାଲାଣ କରାଯାଇଥିବା ଅନୁଗୋଳ ପୋଲିସ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।
ଜିଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀଙ୍କୁ ପ୍ରବର୍ତ୍ତାଇ ବିଭିନ୍ନ ଘରୋଇ ନର୍ସିଂହୋମ, ଡାଇଗୋନିଷ୍ଟକ ସେଣ୍ଟରଗୁଡ଼ିକୁ ପଠାଯିବା ସହ ରକ୍ତ ଭଣ୍ଡାରକୁ ଆସୁଥିବା ଲୋକଙ୍କୁ ଶୋଷଣ କରାଯାଉଥିଲା। ଯେଉଁମାନେ ବିରୋଧ କରୁଥିଲେ, ସେମାନଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ତଦନ୍ତ କରି ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି। ସେହପିର ଅନୁଗୋଳ ଆରଟିଓ କାର୍ଯ୍ୟାଳୟରେ ମଧ୍ୟ ନୂତନ ମୋଟରଯାନ ଆଇନ ପ୍ରଣୟନ ହେବା ପରେ ଦଲାଲ୍‌ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ବିଭିନ୍ନ କାର୍ଯ୍ୟ କରାଇଦେବା ବାହାନାରେ ଲୋକଙ୍କ ନିକଟରୁ ଦଲାଲମାନେ ଟଙ୍କା ଲୁଟୁଥିଲେ। ଏହି ଘଟଣାରେ ଜିଲା ମୁଖ୍ୟ ଚିକିତ୍ସାଳୟର କେତେଜଣ ଡାକ୍ତର, କର୍ମଚାରୀ, ରକ୍ତଭଣ୍ଡାର କର୍ମଚାରୀ, ଘରୋଇ ନର୍ସିଂହୋମ, ଡାଇଗୋନିଷ୍ଟ ସେଣ୍ଟରର କର୍ମଚାରୀ, ଆରଟିଓ କାର୍ଯ୍ୟାଳୟ କର୍ମଚାରୀ ଓ ଅନ୍ୟକେତେକ ଦଲାଲଙ୍କ ଉପରେ ପୋଲିସ ନଜର ରଖିଥିବା ଅନୁଗୋଳ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏସ୍‌ଡିପିଓ ଅଶ୍ୱନୀ ସାହୁ, ଥାନା ଅଧିକାରୀ ରମେଶଚନ୍ଦ୍ର ବିଶୋଇଙ୍କ ନେତୃତ୍ୱରେ ଏସ୍‌ଆଇ ପ୍ରକାଶ ମାଝି, ଅରଖିତ ସେଠୀ, ସତ୍ୟରଞ୍ଜନ ଲେଙ୍କା, ବିପ୍ଳବ ସାହୁ, ସ୍ବର୍ଣ୍ଣମୟୀ ଷଣ୍ଢ, ସୌମ୍ୟା ରାୟଙ୍କ ସମେତ ଥାନାର ଅନ୍ୟ କର୍ମଚାରୀମାନେ ଚଢ଼ାଉ କରିଥିଲେ।

Share