ଜିଲା ମୁଖ୍ୟ ଡାକ୍ତରଖାନାକୁ ଆରମ୍ଭ ହେଲା ନିଃଶୁଳ୍କ ବସ୍‌ ସେବା

ବରଗଡ ଅଫିସ,୨୬।୧: ବରଗଡ ସହର ମଧ୍ୟରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରୁ ଭଟଲି ବ୍ଲକ ଟୁକୁର୍ଲା(ଖେଦାପାଲି)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ରବିବାରରୁ ନିଃଶୁଳ୍କ ବସ୍‌ ସେବା ଆରମ୍ଭ ହୋଇଛି। ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଭୂତି ଭୂଷଣ ମେହେରଙ୍କ ସମେତ ଅନ୍ୟ ସ୍ବାସ୍ଥ୍ୟ ଅଧିକାରୀ, କର୍ମଚାରୀ ପ୍ରମୁଖ ବସ ସେବା ଶୁଭାରମ୍ଭ ସମୟରେ ଉପସ୍ଥିତ ଥିଲେ। ଡିପିଏମ ଶଙ୍କର ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଏହି ବସ୍‌ ସେବା ଆରମ୍ଭ ହେବା ଦ୍ବାରା ରୋଗୀ ଏବଂ ସେମାନଙ୍କ ଆଟେଣ୍ଡାଣ୍ଟ ଏଣିକି ବିନା ବସ୍‌ ଭଡାରେ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରୁ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଯିବା, ଆସିବା କରି ପାରିବେ। ପ୍ରକାଶ ଥାଉକି, ଗତ ୨୧ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଉଦଘାଟନ କରିଥିଲେ।

Share