ଜିହ୍ବାର ଲାଳସା ସମ୍ବରଣ ନ କରିବାରୁ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା

ଇନ୍ଦୋର,୧୭।୭: ଦେଶର କରୋନା ସଂକ୍ରମଣରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜିଲା ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋର ସାମିଲ ରହିଛି। ଏହି ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ଔଷଧ, ଫଳ, ପନିପରିବା, ସ୍ନାକ୍ସ, ଚାଟ ଓ ଖାଦ୍ୟସାମଗ୍ରୀ ଦୋକାନରୁ ସଂକ୍ରମଣରୁ ଦୂରେଇ ରହିବାକୁ ସତର୍କ କରାଯାଇଛି। କାରଣ ଇନ୍ଦୋରରେ ଲଗାତାର ଭାବେ ପ୍ରତିଦିନ ୧୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଯାହା ଏବେ ପ୍ରଶାସନ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଇତିମଧ୍ୟରେ ଜିଲା ମାଜିଷ୍ଟ୍ରେଟ ମନୀଷ ସିଂ ଖାଦ୍ୟ ଦୋକାନରେ ଗ୍ରାହକଙ୍କ ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସହରର ଶିକ୍ଷିତ ଲୋକମାନେ ଚାଟ ଦୋକାନ ନିକଟରେ ଠିଆ ହୋଇ ପାଣିବା ସହ ଅନ୍ୟାନ୍ୟ ଜିନିଷ ଖାଉଛନ୍ତି ଏବଂ ମାସ୍କ ନ ଲଗାଇ ପରସ୍ପର ମଧ୍ୟରେ କଥାବାର୍ତ୍ତା ମଧ୍ୟ କରୁଛନ୍ତି। ଯାହା ଅତ୍ୟନ୍ତ ଖରାପ।

ଅଧିକାଂଶ କ୍ଷେତ୍ରରେ ଜାଣିବାକୁ ମିଳିଛି ଯେ, କରୋନା ଆକ୍ରାନ୍ତ ହୋଇଥିବା ଲୋକମାନେ ନିୟମିତ ଭାବେ ଫଳ, ପନିପରିବା ଓ ଔଷଧ କିଣିବାକୁ କିମ୍ବା ଖାଦ୍ୟ ଦୋକାନକୁ ଯାଇଥିଲେ। ତେଣୁ ଏଭଳି ଦୋକାନଗୁଡିକ କରୋନା ସଂକ୍ରମଣ ବ୍ୟାପିବାର ଏକ କେନ୍ଦ୍ର ବୋଲି ଜିଲାଧିକାରୀ କହିଛନ୍ତି। ସେହିପରି ସବୁ ସ୍ଥାନରେ ତଦାରଖ ପାଇଁ ପ୍ରଶାସନ, ପୋଲିସ ଓ ମ୍ୟୁନିସିପାଲିଟି କର୍ପୋରେସନ କର୍ମଚାରୀଙ୍କୁ ନିୟୋଜିତ କରାଯାଇପାରିବ ନାହିଁ। ତେଣୁ ଲୋକମାନେ ନିଜେ ସତର୍କ ହେବା ସହ ଯତ୍ନବାନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଜିଲାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୬୧ରେ ପହଞ୍ଚିଛି। ସେଥିମଧ୍ୟରୁ ୪୧୩୯ଜଣ ସୁସ୍ଥ ହୋଇଥିବା ବେଳେ ୨୮୪ଜଣଙ୍କ ମୃତ୍ୟୁ ଘଟିସାରିଛି।

Share