ଜି-୨୦ ଜରୁରୀ ସମ୍ମିଳନୀରେ ଅର୍ଥ ଚିନ୍ତା

ରିୟାଦ/ନୂଆଦିଲ୍ଲୀ,୨୭ା୩: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏହି ପରିପ୍ରେକ୍ଷୀରେ ଜି-୨୦ ରାଷ୍ଟ୍ର ସମୂହର ଜରୁରୀ ସମ୍ମିଳନୀ ଗୁରୁବାର ସୌଦି ଆରବର ରିୟାଦରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍‌-୧୯ରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଶ୍ୱ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। କରୋନା ମହାମାରୀ ସଂକ୍ରମଣ ପରିପ୍ରେକ୍ଷୀରେ ମାନବ ଜାତିର ସ୍ବାର୍ଥକୁ ପ୍ରଥମେ ଗୁରୁତ୍ୱ ଦେବା ପାଇଁ ମୋଦି ଆହ୍ବାନ ଦେଇଛନ୍ତି। ଏହି ସଙ୍କଟ ଆରମ୍ଭ ହେବାର ୩ ମାସ ପରେ ସମନ୍ବିତ ଭାବେ ଏକାଠି କାର୍ଯ୍ୟ କରିବା ପାଇଁ ବିଶ୍ୱ ଚିନ୍ତା କରୁଥିବା ସେ କହିଛନ୍ତି।
ସ୍ଥିତିରେ ଭୋଭିଡ୍‌-୧୯ର ଭୟାବହତା ଚାରିଆଡ଼େ ଦେଖିବାକୁ ମିଳିଛି। ଏଥିଯୋଗୁ ବିଶ୍ୱ ଅର୍ଥନୀତି ଦୋହଲିଯାଇଛି। ଏହାର ମୁକାବିଲା କରି ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସହ ସ୍ଥିରତା ବଜାୟ ରଖିବା ପାଇଁ ୫ ଟ୍ରିଲିୟନ୍‌ ଡଲାର ପ୍ରୋତ୍ସାହନ ଦେବା ଲାଗି ବିଶ୍ୱନେତାମାନେ ସ୍ଥିର କରିଛନ୍ତି। ଉକ୍ତ ବୈଠକରେ ସୌଦି ରାଜା ସଲମାନ ବିନ୍‌ ଅବ୍‌ଦୁଲ୍‌ ଅଜିଜ୍‌ ଅଲ-ସଉଦ୍‌ ଅଧ୍ୟକ୍ଷତା କରି ବିଶ୍ୱନେତାମାନଙ୍କୁ ସମ୍ବୋଧିତ କରିଛନ୍ତି। ଏଭଳି ମାନବିକ ସଙ୍କଟ ସମୟରେ ସାରା ବିଶ୍ୱ ଏକାଠି ହୋଇ ପରସ୍ପରକୁ ସହଯୋଗର ହାତ ବଢ଼ାଇବା ଜରୁରୀ ବୋଲି ସେ କହିଛନ୍ତି। ଜି-୨୦ ସମ୍ମିଳନୀରେ ଭାରତ ସମେତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚାଇନା, ଜର୍ମାନୀ, ଫ୍ରାନ୍ସ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ରୁଷିଆ, ସୌଦି ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ବ୍ରିଟେନ ଓ ଆମେରିକା ସାମିଲ ଅଛନ୍ତି। ଏହାସହ ଜାତିସଂଘ, ବିଶ୍ୱବ୍ୟାଙ୍କ, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ, ବିଶ୍ୱ ବାଣିଜ୍ୟ ସଙ୍ଗଠନ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ଆର୍ଥିକ ସହଯୋଗ ଓ ବିକାଶ ସଙ୍ଗଠନ ଭଳି ଶୀର୍ଷ ସଂସ୍ଥାଗୁଡ଼ିକ ଏଥିରେ ଯୋଗଦେଇଛନ୍ତି। ଦକ୍ଷିଣ ଏସୀୟ ରାଷ୍ଟ୍ର ସଙ୍ଗଠନ, ଆଫ୍ରିକୀୟ ସଂଘ ଓ ଉପସାଗରୀୟ ସହଯୋଗ ପରିଷଦକୁ ମଧ୍ୟ ଏଠାକୁ ନିମନ୍ତ୍ରଣ କରାଯାଇଛି।

Share