ଜି-୭ରେ ଇରାନ ବହିର୍ବ୍ୟାପାର ମନ୍ତ୍ରୀ

ବିଆରିଜ୍‌,୨୬ା୮(ଏଏଫ୍‌ପି): ଫ୍ରାନ୍ସର ବିଆରିଜ୍‌ରେ ଚାଲିଥିବା ଜି-୭ ସମ୍ମିଳନୀରେ ଭାଗନେବା ପାଇଁ ରବିବାର ଇରାନର ବହିର୍ବ୍ୟାପାର ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ୍‌ ଅତି ନାଟକୀୟ ଭାବେ ପହଞ୍ଚତ୍ଛନ୍ତି। ପରମାଣୁ କାର୍ଯ୍ୟକ୍ରମକୁ ନେଇ ଓ୍ବାଶିଂଟନ ଓ ତେହେରାନ ମଧ୍ୟରେ ଉତ୍ତେଜନା ଲାଗିରହିଥିବାବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ମଧ୍ୟସ୍ଥ ସାଜି ଏହାକୁ ପ୍ରଶମିତ କରିବାକୁ ଉଦ୍ୟମ କରୁଛନ୍ତି। ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଉଦ୍ୟମକୁ ଅଣଦେଖା କରୁଥିବାବେଳେ ସମ୍ମିଳନୀରେ ଜରିଫ୍‌ଙ୍କ ଅପ୍ରତ୍ୟାଶିତ ଉପସ୍ଥିତି ଜି-୭ ନେତୃବୃନ୍ଦଙ୍କୁ ବିସ୍ମିତ କରିଛି।
ସହର ବିଆରିଜ୍‌ରେ ଶନିବାର ଜି-୭ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ୭ ସଦସ୍ୟ ରାଷ୍ଟ୍ର (ଫ୍ରାନ୍ସ, ଇଟାଲୀ, କାନାଡା, ଆମେରିକା, ଜାପାନ, ଜର୍ମାନୀ ଓ ବ୍ରିଟେନ)ର ନେତାମାନେ ଯୋଗଦେଇଛନ୍ତି। ୨୦୧୫ରେ ହୋଇଥିବା ପରମାଣୁ ଚୁକ୍ତିରୁ ଓହରିଯିବା ପାଇଁ ଟ୍ରମ୍ପ୍‌ଙ୍କ ନିଷ୍ପତ୍ତି ପରେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଛି। ଚଳିତବର୍ଷର ଆୟୋଜକ ରାଷ୍ଟ୍ର ଫ୍ରାନ୍ସ ଉକ୍ତ ସମ୍ମିଳନୀର ଆୟୋଜକ ହୋଇଥିବାରୁ ମାକ୍‌ରଁ ଉତ୍ତେଜନା ହ୍ରାସ କରିବାକୁ ଚାହୁଁଛନ୍ତି। ଏହିକ୍ରମରେ ସେ ଶୁକ୍ରବାର ପ୍ୟାରିସ୍‌ରେ ଜରିଫ୍‌ଙ୍କୁ ଭେଟିଥିଲେ। ଏହାସହ ଇରାନ ରାଷ୍ଟ୍ରପତି ହାସନ ରୌହାନିଙ୍କୁ ମଧ୍ୟ ଫୋନ୍‌ କରି ମାକ୍‌ରଁ ଆଲୋଚନା କରିଥିଲେ। ଏନେଇ ଇରାନ ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅବ୍ବାସ ମୁସାଭି କହିଛନ୍ତି, ପରମାଣୁ ଚୁକ୍ତିକୁ ବଞ୍ଚାଇବା ସକାଶେ ଇରାନ ଓ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ମଧ୍ୟରେ ସଦ୍ୟ ପଦକ୍ଷେପ ସମ୍ପର୍କରେ ଆଲୋଚନା ଜାରି ରଖିବା ପାଇଁ ଜରିଫ୍‌ ବିଆରିଜ୍‌ରେ ପହଞ୍ଚତ୍ଛନ୍ତି। ଏହି ଗସ୍ତବେଳେ ଆମେରିକା ପ୍ରତିନିଧି ଦଳ ସହ ତାଙ୍କର ଆଲୋଚନା କିମ୍ବା ବୈଠକ ହେବନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share