ଜୀବନର ମୂଲ୍ୟ କ’ଣ ଦୁଇଲକ୍ଷ ଟଙ୍କା

ସହଦେବ ସାହୁ
ସାଧାରଣ ଓଡିଆଟିଏ ମରିଗଲେ ସରକାରଙ୍କର କିଛି ଦୁଃଖ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି ତ ଅଛି! ଓଡିଆର ଜୀବନ ବଡ଼ ଶସ୍ତା। ମାତ୍ର ଦୁଇ ଲକ୍ଷ ଟଙ୍କା। ଫେବୃୟାରୀ ୯ ତାରିଖ ଦିନ ଗଞ୍ଜାମ ଜିଲାରେ ୧୧ କେ.ଭି. ବିଜୁଳି ତାର ସଂସ୍ପର୍ଶରେ ଆସି ବରଯାତ୍ରୀମାନେ ଯାଉଥିବା ବସ୍‌ରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି, ଓଡିଶା ସରକାର ଜଣପିଛା ୨ ଲକ୍ଷ ଲେଖାଏ ଟଙ୍କା ଦେବେ ଘୋଷଣା କରିଦେଲେ। ନିକଟତମ ସମ୍ପର୍କୀୟମାନେ ଏ ପଇସା ପାଇବେ ଶୁଣି ସେମାନେ ତ ଖୋଲାଜାଗାରେ କାନ୍ଦିବା ବନ୍ଦ କରିଦେଲେ। ପରିବାର ବାହାରର ଲୋକେ ଭାବିଲେ ସରକାର ଲୋକଙ୍କ ଦୁଃଖ ବୁଝୁଛନ୍ତି। ୫ ‘ଟି’ର ସରକାରଙ୍କ ପାଖରେ ଦୁଇଟି ‘ଟି’ ହେଉଛି ଟ୍ରାନ୍ସଫର୍ମେସନ୍‌ ଓ ଟାଇମ୍‌। ବ୍ୟବସ୍ଥା ବଦଳିବ, ଆଉ ଯଥା ସମୟରେ ପାଉଣା ମିଳିଯିବ। ଘୋଷଣା ଓ ପାଇବା ଭିତରେ ଥିବା ଟି, ଅର୍ଥାତ୍‌ ମୃତକର ସମ୍ପର୍କୀୟ କେବେ ପାଇବ ଓ ତା’ ପାଇଁ କେତେ ହାତଗୁଞ୍ଜା ବା ମଧ୍ୟସ୍ଥ ବଟି ଦେବ ସିଏ ଜାଣେ। ବହୁତ ଝଞ୍ଜଟ ଓ ବିଭାଗୀୟ କଳିତକରାଳ ଭିତରେ ଆଉ ଗୋଟିଏ ‘ଟି’ ଟ୍ରାନ୍ସପରେନ୍ସି ବା ସ୍ବଚ୍ଛତା ବି ମାଡ ଖାଇବ।
ବ୍ୟବସ୍ଥା ବଦଳିବା ବା ଟ୍ରାନ୍ସଫର୍ମେସନ୍‌ କାହିଁ? ପରସ୍ପରକୁ ଦୋଷଦେବା ଯାହାକୁ ଇଂଲିଶରେ କହନ୍ତି ପାସିଂ ଦି ବକ୍‌, ତା’ ସରିଲେ ତ! ନିର୍ବନ୍ଧକୁ ଯାଉଥିବା ଯାତ୍ରୀମାନେ ଯେଉଁ ବସ୍‌ରେ ଥିଲେ ସେ ବସ୍‌ ଯାଉଥିବା ରାସ୍ତା ଉପରେ ଗୋଟିଏ ଜୀବନ୍ତ ତାର ତଳକୁ ନଇଁ ଆସିଥିଲା। ନଇଁ ଆସିବାର କାରଣ ଖୋଜାଗଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟୀ କାରଣ ଗାଁ ରାସ୍ତା ତାଙ୍କର। ପରିବହନ ବିଭାଗ ଦାୟୀ କାରଣ ବସ୍‌ ଚାଲିବା ସେ ଦେଖନ୍ତି ଓ ଚାଳକର ଲାଇସେନ୍ସ ଦେଖନ୍ତି। ବିଜୁଳି ବିଭାଗ ଦାୟୀ କାରଣ ସେ ବିଜୁଳି ଯୋଗାଣର ଭିତ୍ତିଭୂମି ଦେଖନ୍ତି। ବିଜୁଳି ବିତରଣ କମ୍ପାନୀ ବା ସାଉଥ୍‌କୋ ଦାୟୀ କାରଣ ସେ ତାର ଟଣା ଦେଖନ୍ତି। କଣ୍ଟ୍ରାକ୍ଟର ଦାୟୀ କାରଣ ସେ ତାର ଟଣା କାମ ନେଇଥିଲା। ଯେଉଁ ଜୁନିୟର ବା ସେକ୍ସନ ଅଫିସର୍‌ କଣ୍ଟ୍ରାକ୍ଟରର ବିଲ୍‌ ପାସ୍‌ କରିବା ପାଇଁ ସୁପାରିସ୍‌ କରିଥିଲା ତା’ର ତନଖି କରିବାରେ ଅବହେଳା ପାଇଁ ସେ ଦାୟୀ। କାହାର ଅଣଦେଖାରୁ ତାର ନଇଁ ଆସି ଚଳନ୍ତା ବସ୍‌ରେ ଲାଗିଲା ସେ ବିଷୟରେ ତର୍କ ଚାଲିଲା। କେଉଁ ଠିକାଦାର ଏବଂ ତାକୁ ତନଖି କରୁଥିବା କେଉଁ ଅଧିକାରୀ ତାରର ଉଚ୍ଚତା ଦେଖି ନ ଥିଲେ ଏବଂ ୧୧ କେ.ଭି. ଉଚ୍ଚ କ୍ଷମତାସମ୍ପନ୍ନ ତାର ତଳେ କାହିଁକି ସୁରକ୍ଷା-ଜାଲି ନ ଦେଲେ, ସେଗୁଡିକ ତ ଆମେ ଭୁଲିଗଲେ। ଲୋକଙ୍କୁ ସାମୟିକ ଭାବେ ଆନ୍ଦୋଳନରୁ ନିବୃତ୍ତ କରିବା ଲାଗି ଗୋଟିଏ କାମ କରାଗଲା- ଘୋଷଣା।
ଗୋଟିଏ ଘୋଷଣା ହେଲା ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ମୃତକଙ୍କ ପିଛା ଦୁଇ ଲକ୍ଷ ଟଙ୍କା ଏକ୍ସଗ୍ରାସିଆ (ଦୟାପ୍ରଦର୍ଶନକାରୀ) ଟଙ୍କା ଦିଆଯିବାର (ଦିଆଗଲା ନୁହେଁ, ଅର୍ଥାତ୍‌ ଡାଇରେକ୍ଟ ଡେବିଟ୍‌ ନୁହେଁ) ଏବଂ ଆଉ ଗୋଟିଏ ଘୋଷଣା ହେଲା ଶକ୍ତିମନ୍ତ୍ରୀ ୪ଜଣ ଇଞ୍ଜିନିୟରଙ୍କୁ ନିଲମ୍ବନ କରିଦେଲେ। ଇନ୍‌କ୍ୱାରି ହେବ ବୋଲି କହି ନିଲମ୍ବନ କରାଗଲେ ସେ ନିଲମ୍ବନ ଶାସ୍ତି ନୁହେଁ। ଗାଁ ଭିତରେ ହେଉ ବା ରାସ୍ତା ଉପରେ ତାର ଓହଳି ପଡି ରହିବା ଏକ ଗର୍ହିତ କାର୍ଯ୍ୟ, ତେଣୁ ଅବହେଳା କରିଥିବା ଅଧିକାରୀ ଉପରେ ତତ୍‌କ୍ଷଣାତ୍‌ ଦଣ୍ଡ ନ ହେଲେ ଏଭଳି ଗର୍ହିତତା ବନ୍ଦ ହେବ ନାହିଁ, ଆଇପିସି (ଭାରତୀୟ ପିଙ୍ଗଳ ସଂହିତା) ଅନୁଯାୟୀ ସେ ତ ମୃତ୍ୟୁରେ ସହଯୋଗ (ଆବେଟ୍‌) କରିଛି। ସେମିତି ଆଇପିସି ଧାରା ଲଗାଇ ମାମଲା ରୁଜୁ କଲେ କର୍ମଚାରୀମାନେ ତାଙ୍କ କାମରେ ଢିଲା ହୁଅନ୍ତେ ନାହିଁ। ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ମନ୍ତ୍ରୀ ବି ତାଙ୍କ ପଦରୁ ଇସ୍ତଫା ଦେଲେ ନାହିଁ। ଆମ ଧର୍ମର ଏକ ରୀତି- ଯାହାକୁ ପ୍ରାୟଶ୍ଚିତ୍ତ କର୍ମ କୁହାଯାଏ- ତା’ ହେଉଛି ଠାକୁରଙ୍କୁ ଉପଯୁକ୍ତ ଭୋଗରାଗ ଦେଇ ପାପମୋଚନ କରାଇବା। ପୁରୋହିତମାନେ ଏଥିଲାଗି ଯଥେଷ୍ଟ ରୀତିନୀତି ମନ୍ଦିର ସାମନା ପ୍ରାଙ୍ଗଣରେ ପଟା ମାରି ଲେଖିଦେଇଥାନ୍ତି। ସରକାର ଲୋକଙ୍କ ଆଗରେ ସେମିତି ପଟା ନ ମାରିଥିଲେ ବି ଜନରବ କରିଦେଇଛନ୍ତି ଯେ ମୃତକର ପରିବାରକୁ ଏକ୍ସଗ୍ରାସିଆ (ଅନୁଗ୍ରହମୂଳକ) ରାଶି ଦେଲେ ଓ ଆହତମାନଙ୍କୁ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା କରାଇଦେଲେ ଲୋକେ ଶାନ୍ତ ହୋଇଯିବେ, ଅର୍ଥାତ୍‌ ପ୍ରାୟଶ୍ଚିତ୍ତ ହୋଇଯିବ, ବା ସରକାର ଦୋଷମୁକ୍ତ ହୋଇଯିବେ। ଏ ପ୍ରକାର ଅପମୃତ୍ୟୁର କାରଣ ଯେ ଠିକାଦାର ଓ କର୍ମଚାରୀଙ୍କ ଅବହେଳା ଏବଂ ତାହା ଯେପରି ଆଉ ନ ଘଟେ ତାହାର ବ୍ୟବସ୍ଥା କରୁନାହାନ୍ତି।
ମୂଳ କାରଣ ବିଷୟରେ ଚିନ୍ତା ନ କରି ଅନୁଗ୍ରହମୂଳକ ଟଙ୍କା କିଛି ଦେଇଦେଲେ ବା ମାଗଣା ଚିକିତ୍ସାର ବନ୍ଦୋବସ୍ତ କରିଦେଲେ ସମସ୍ୟାର ସମାଧାନ ହୁଏ ନାହିଁ। ସରକାର ଉତ୍ତରଦାୟୀ, ତେଣୁ ଜଣେ ଦି’ଜଣ ଶହୀଦ ହେବା ଯାଏ ସରକାର ଶୋଇ ରହୁଛନ୍ତି କାହିଁକି? ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଂହିତା (ଓଡିଶା ରିଲିଫ୍‌ କୋଡ୍‌)ରେ ‘କର୍ମଚାରୀଙ୍କ ଅବହେଳା ଯୋଗୁ ମୃତ୍ୟୁ’ ପାଇଁ ରିଲିଫ୍‌ ଦୁଇ ଲକ୍ଷ ଟଙ୍କା ଲେଖିଦେଲେ ବାରମ୍ବାର ଦୁର୍ଘଟଣାରେ ମୃତ୍ୟୁ ପାଇଁ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିବା ଦରକାର ପଡନ୍ତା ନାହିଁ।
ଗଞ୍ଜାମର ଦୁର୍ଘଟଣା କଥାରୁ ଆମେ ଦେଖିବା କିପରି କେହି କୌଣସି ସ୍ତରରେ ଦାୟିତ୍ୱ ମୁଣ୍ଡାଉ ନାହାନ୍ତି। ଏ ସବୁର କାରଣ ଟଙ୍କା, ଯାହା ଦେଇ ଗର୍ହିତ କାମ କରିଥିବା ବ୍ୟକ୍ତି ସେ ଠିକାଦାର ହେଉ ବା ସରକାରୀ କର୍ମଚାରୀ, ସହଜରେ ଶାସକଦଳର ଅନୁକମ୍ପା ହାସଲ କରିପାରୁଛି। ଗଣତନ୍ତ୍ରରେ କୌଣସି ଗୁରୁତର ଅବହେଳା ପାଇଁ ମନ୍ତ୍ରୀ ଦାୟିତ୍ୱ ମୁଣ୍ଡାନ୍ତି। ନିଜର ଇସ୍ତଫାକୁ ନିଜର ପ୍ରାୟଶ୍ଚିତ୍ତ ଭଳି ଦେଖାନ୍ତି। ଏହାଦ୍ୱାରା ମନ୍ତ୍ରୀଙ୍କ ବିଭାଗ କର୍ମଶୀଳ ଓ ଯତ୍ନବାନ୍‌ ହୋଇଯାଏ।
ଏ ସବୁ ମୂଳରେ ସରକାରୀ ଦଳର (ସରକାରର ନୁହେଁ) ଭ୍ରଷ୍ଟାଚାରପ୍ରୀତି। ଭ୍ରଷ୍ଟାଚାରର ବଡ଼ ମାଧ୍ୟମ ଠିକାଦାର। ବସ୍‌ ଛପରରେ ଉଚ୍ଚଶକ୍ତି ସମ୍ପନ୍ନ ତାର ଲାଗିବା, ଗାଁ ଗହଳରେ ଜିଅନ୍ତା ତାର ବାଟରେ ଛିଡିପଡିବା, ବିଲବାଡିରେ କାମ କରୁଥବା ଶ୍ରମିକ ଉପରେ ବାଉଁଶରେ ଝୁଲୁଥିବା ତାର ଛିଡି ପଡିବା ଘଟଣା ନିତିଦିନିଆ ହୋଇଯାଇଛି। କେବଳ ବିଜୁଳି ଆଘାତରେ ମରିବା କଥା ନୁହେଁ, ଅନ୍ୟ କୌଣସି କାରଣରୁ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ସରକାର ପଥର ଭଳି ନିଦା ରହୁଛନ୍ତି। ସଡକ ଦୁର୍ଘଟଣାରେ ୨୦୧୯ରେ ୫୩୦୦ରୁ ବେଶି ଲୋକ ଜୀବନ ହରାଇଛନ୍ତି। ଗତ ଜାନୁୟାରୀ ୧୯ରେ ଗଞ୍ଜାମ ଜିଲାରେ ଗୋଟିଏ ପୋଲରୁ ବସ୍‌ ଖସିପଡି ୯ ଲୋକ ମଲେ। ସପ୍ତାହେ ଯାଇନାହିଁ ସୁନ୍ଦରଗଡ଼ରେ ଗୋଟିଏ ଦ୍ରୁତଗାମୀ କାର୍‌ ୫ଜଣ ମହିଳା ଶ୍ରମିକଙ୍କ ଉପରେ ଚଢିଯାଇ ସେମାନଙ୍କ ମୃତ୍ୟୁର କାରଣ ହେଲା। ଏ ସବୁ ଘଟଣାରେ ଲୋକେ ଉତ୍ତ୍ୟକ୍ତ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତଙ୍କୁ ମାଗଣା ଚିକିତ୍ସା ଘୋଷଣା କରିଦେଉଛନ୍ତି। କିନ୍ତୁ ବସ୍‌ ପୋଲ ଉପରୁ ଖସିବା ବା କାର ବେପରୁଆ ଚଳାଇବା ପଛରେ ଚାଳକର ମଦ ପିଇବାକୁ ସରକାର ଯେ ପ୍ରୋତ୍ସାହନ ଦେଉଛନ୍ତି ତାହା ଭୁଲିଯାଉଛନ୍ତି। ଶାସକ ଦଳ ତାଙ୍କର ଠିକାଦାରପ୍ରୀତି ଛାଡ଼ିଲେ, ଅଭିଯୁକ୍ତମାନଙ୍କୁ ଛତ୍ରଚ୍ଛାୟା ଦେଇ ପୋଲିସକୁ ବା ଆଇନ ରକ୍ଷାକାରୀ ଯନ୍ତ୍ରକୁ ଅକାମୀ ନ କଲେ ଏବଂ ଆଇନ ତିଆରି କରୁଥିବା ଲୋକପ୍ରତିନିଧିମାନେ ଆଇନରୁ ଊର୍ଦ୍ଧ୍ୱରେ ଅଛନ୍ତି ବୋଲି ନ ଭାବିଲେ ରାଜ୍ୟରେ ଏ ପ୍ରକାର ମୃତ୍ୟୁହାର କମିଯାଆନ୍ତା।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri