ଜୀବନର ଶେଷ ସମୟ ହସ୍ପିଟାଲ ବେଡ୍‌ରେ ‘ହୁଡ୍‌ ହୁଡ୍‌ ଦବଙ୍ଗ’ ଗୀତ ଗାଉଥିଲେ ଓ୍ବାଜିଦ୍‌

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌ ସଙ୍ଗୀତ ଜଗତ। ଗତ କିଛିଦିନ ହେବ ସେ କିଡ୍‌ନୀ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ହସ୍ପିଟାଲରେ ଥିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ସେ ହସ୍ପିଟାଲ୍‌ ବେଡ୍‌ରେ ବସି ସଲମାନ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଦବଙ୍ଗ’ର ଟାଇଟେଲ ଟ୍ରାକ୍‌ ‘ହୁଡ୍‌ ହୁଡ୍‌ ଦବଙ୍ଗ’ ଗୀତଟିକୁ ଗାଉଥିବା ଦେଖାଯାଇଛି। ଏହି ଗୀତଟିକୁ ଓ୍ବାଜିଦ୍‌ ନିଜେ କମ୍ପୋଜ କରିଥିଲେ। ବେଳେବେଳେ ସ୍ବର ଅଟକି ଯାଉଥିଲେ ମଧ୍ୟ ସେ ହସିଦେଇ ଗୀତଟିକୁ ଗାଉଥିଲେ। ୪୪ ସେକେଣ୍ଡର ଏହି ଭିଡିଓ ଶେଷରେ ଲଭ୍‌-ୟୁ ଭାଇ(ସାଜିଦ୍‌ ଖାନ୍‌) ବୋଲି କହିଛନ୍ତି। ଓ୍ବାଜିଦ୍‌ ନିଜ ଭାଇ ସାଜିଦଙ୍କ ସହ ମିଶି ବଲିଉଡ୍‌ରେ ଅନେକ ଲୋକପ୍ରିୟ ସଙ୍ଗୀତର ନିର୍ଦ୍ଦେଶନା ଦେଇଥିଲେ। ଅଭିନେତା ସଲମାନ ଖାନ୍‌ଙ୍କ ସେ ଅତି ପ୍ରିୟ ଯୋଡି ଥିଲେ। ୧୯୯୮ରେ ସେ ସଲମାନଙ୍କ ଫିଲ୍ମ ‘ପ୍ୟାର୍‌ କିୟା ତୋ ଡର୍‌ନା’ କିୟାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।ଏହାପରେ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ଏକ ଆଲବମ୍‌ରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ। ଏହି ଆଲବମ୍‌ର ଗୀତ ଅବ୍‌ ମୁଝେ ରାତ୍‌ ଦିନ୍‌.., ଇସ୍‌ କଦର୍‌ ପ୍ୟାର୍‌ ହୈ ଗୀତଗୁଡିକ ବେଶ୍‌ ଲୋକପ୍ରିୟ ହୋଇଥିଲା। ସାଜିଦ୍‌-ଓ୍ବାଜିଦ୍‌ ଯୋଡି ନାମରେ ବଲିଉଡରେ ପରିଚିତ ଥିଲେ। ଓ୍ବାଜିଦ୍‌ଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।

Share