ଜୀବନସାଥୀ ଖୋଜି ଯୁବତୀ ହରାଇଲେ ୩ ଲକ୍ଷ

ଭୁବନେଶ୍ୱର,୬ା୬(ବ୍ୟୁରୋ)- କ୍ୟାପିଟାଲ ଥାନା ଅନ୍ତର୍ଗତ ଗଙ୍ଗନଗରର ଜଣେ ଯୁବତୀ ମାଟ୍ରିମୋନିଆଲ ସାଇଟ୍‌ରେ ଜୀବନସାଥୀ ଖୋଜି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏ ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକ୍ରମେ ଦଫା ୪୧୯,୪୨୦,୪୬୮,୪୭୧,୩୪ ଏବଂ ଆଇଟି ଆକ୍ଟ ୬୬(ଡି)ରେ ଏକ ମାମଲା(ନଂ.୧୯୪/୨୦) ରୁଜୁ କରି ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ଗଙ୍ଗନଗରରେ ପରିବାର ସହ ରହୁଥିବା ଜଣେ ଯୁବତୀ ବିବାହ ପାଇଁ ମାଟ୍ରିମୋନିଆଲ ସାଇଟ୍‌ରେ ଜୀବନସାଥୀ ଖୋଜିଥିଲେ। ଏହି ସମୟରେ ଠକ ଜଣଙ୍କ ସାଇଟ୍‌ରେ ଅନ୍ୟ ଜଣେ ଯୁବକଙ୍କ ଫଟୋ ଦେବା ସହ ନିଜକୁ ଇଞ୍ଜିନିୟର ବୋଲି ଲେଖିଥିଲେ। ଏହାଦେଖି ଯୁବତୀ ଜଣଙ୍କ ରାଜି ହେବା ସହ ସାଇଟ୍‌ରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ କରିଥିଲେ। କଥା ହେବା ସମୟରେ ଯୁବକ ନିଜକୁ ଇଞ୍ଜିନିୟର କହିବା ସହ ମାସକୁ ୩ଲକ୍ଷ ଟଙ୍କା ରୋଜଗାର କରୁଥିବା କହିଥିଲେ। କଥାରେ ଯୁବତୀଙ୍କ ବିଶ୍ୱାସ ଜିଣିବା ପରେ ଯୁବକ ଜଣଙ୍କ ଆରମ୍ଭ କରିଥିଲେ ଠକେଇ ପ୍ରକ୍ରିୟା। ବିବାହ ପୂର୍ବରୁ ଭୁବନେଶ୍ୱରରେ ଏକ ଫ୍ଲାଟ କିଣିବା ପାଇଁ ସେ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଫ୍ଲାଟ ପାଇଁ ସବୁ ଟଙ୍କା ଯୋଗାଡ଼ କରିଥିବାବେଳେ ଆଉ ୪ଲକ୍ଷ ଟଙ୍କା ଆବଶ୍ୟକ ଥିବା ଯୁବକ ଜଣଙ୍କ କହିଥିଲେ। ଏହା ଶୁଣି ଯୁବତୀ ତାଙ୍କୁ ୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଦେବାକୁ ରାଜି ହେବା ସହ ଯୁବକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ଯୁବକ ଜଣଙ୍କ ନିଜର ଫୋନ୍‌ ବନ୍ଦ କରିଦେଇଥିଲେ। ଯୁବତୀ ତାଙ୍କୁ ବାରମ୍ବାର ଫୋନ୍‌ କରି ବିଫଳ ହେବା ପରେ ଠକେଇର ଶିକାର ହୋଇଥିବା ଜାଣିଥିଲେ। ଶେଷରେ ଯୁବତୀ ଟଙ୍କା ଫେରସ୍ତ ଆଶାରେ ଶୁକ୍ରବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Share